କୋଲକାତା: ଅମାନିଆ ମମତା, ନିଜ ଜିଦରେ ଅଟଳ ରହି ପୁଣି ଲଗାଇଲେ ‘ଜଗନ୍ନାଥ ଧାମ’ ଫଳକ । ଦୀଘା ମନ୍ଦିରକୁ ନେଇ ବିବାଦ ଥମି ନଥିବା ବେଳେ ପୁଣି ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରେ ବଡ ବଡ ଅକ୍ଷରରେ ମରାଗଲା ଜଗନ୍ନାଥ ଧାମ। ରାତାରାତି ଜଗନ୍ନାଥ ଧାମ ଲେଖିବା ସହ ପୂର୍ବ ଭଳି ସେଲ୍ଫି କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ‘ଜଗନ୍ନାଥ ଧାମ’ ଫଳକ ଏଥର ସ୍ଥାୟୀ ଭାବେ ନିର୍ମିତ ହୋଇଛି । ମନ୍ଦିର ସାମ୍ନାରେ ଏହି ଫଳକ ଲଗାଯାଇଥିବା ବେଳେ ‘ଜଗନ୍ନାଥ ଧାମ’ ଲେଖାଥିବା ସେଲ୍ଫି ପଏଣ୍ଟକୁ ଶ୍ରମିକ ମାନେ ଲଗାଉଥିବାର ଚିତ୍ର ସାମ୍ନାକୁ ଆସିଛି ।
ତେବେ ପ୍ରବଳ ବିରୋଧ... ପ୍ରବଳ ପ୍ରତିବାଦ ପରେ ଗତକାଲି ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଥିଲା ‘ଜଗନ୍ନାଥ ଧାମ’ ଲେଖା । ପୁରୀରେ ପ୍ରବଳ ପ୍ରତିବାଦ ଏବଂ ଓଡିଶାରୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ‘ଜଗନ୍ନାଥ ଧାମ’ ଲେଖା ହଟାଯାଇଥିଲା । ଏନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ସୂଚନା ଦେଇଥିଲେ । ମାତ୍ର ତାଙ୍କ ଟୁଇଟକୁ ଭୁଲ ପ୍ରମାଣିତ କରିବାକୁ ରାତାରାତି ମମତା ସରକାରଙ୍କ ପକ୍ଷରୁ ପୁନଶ୍ଚ ‘ଜଗନ୍ନାଥ ଧାମ’ ଫଳକ ଲଗାଯାଇଛି ।
ଗତକାଲି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ ବୋଲି କହିଥିଲେ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ଟାର୍ଗେଟ୍ କରିଥିଲେ ମମତା ।