ମମତାଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ଭବିଷ୍ୟବାଣୀ : ନିର୍ବାଚନ ଜିତି ପୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ ମମତା

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ସେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ପୁଣି ଜିତିବ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ । ନିର୍ବାଚନରେ ବିଜୟ ସହିତ ପୁଣି ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖିବେ ମମତା ବାନାର୍ଜୀ।

କିଛି ଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଡାକରାରେ କୋଲକାତା ଯାଇଥିଲେ ସେ । ସେଠାରେ ମମତାଙ୍କ ବାସଭବନରେ ଶ୍ରୀ ସ୍ବାଇଁ ମହାପାତ୍ର  ପୂଜା ଓ ହୋମ କରିଥିଲେ । ପଶ୍ଚିମବଙ୍ଗରୁ ଫେରିବା ପରେ ଏଭଳି ଚାଞ୍ଚଲ୍ୟକର ଭବିଷ୍ୟବାଣୀ କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ।

ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ନିର୍ବାଚନ କମିସନ ଯେଉଁଦିନ ତାରିଖ ଘୋଷଣା କରିଥିଲେ କୋଲକାତାରେ ମମତାଙ୍କ କାଳିଘାଟ ବାସଭବନରେ ଠିକ ସେହିଦିନ ହୋଇଥିଲା ଦୀର୍ଘ ୧୦ ଘଣ୍ଟାର ପୂଜାର୍ଚ୍ଚନା ।  ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ତତ୍ତ୍ବାବଧାନ‌ରେ ଏହା ଅନୁଷ୍ଠିତ ହୋଇଥିଲା । ପୁରୀରୁ ଯାଇଥିବା ପଣ୍ଡିତ ଓ ପୂଜକ ଏହା ସଂପନ୍ନ କରିଥିଲେ। ଗତ ନିର୍ବାଚନରେ ମଧ୍ୟ ମମତା ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ପରେ ନିର୍ବାଚନ ଫଳାଫଳ ମଧ୍ୟ ସେଇଆ ହୋଇଥିଲା । ତେଣୁ ତାଙ୍କ ପ୍ରତି ମମତାଙ୍କ ଆସ୍ଥା ବଢ଼ି ଯାଇଥିଲା ।

ଜଗନ୍ନାଥଙ୍କ ଉପରେ ବିଶ୍ୱାସ ରଖୁଥିବା ମମତାଙ୍କ ପାଇଁ ଏହି ଭବିଷ୍ୟବାଣୀ ବେଶ ଗୁରୁତ୍ୱ ରଖୁଛି । କାରଣ ପୂର୍ବରୁ ଜଗୁନି କରୁଥିବା ଭବିଷ୍ୟବାଣୀ ମମତାଙ୍କ ମନରେ ଜଗନ୍ନାଥଙ୍କ ପାଇଁ ବିଶ୍ୱାସ ଆଣିଦେଇଛି । ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ଭୋଟ ଆରମ୍ଭ ହେବ ଏବଂ ୮ଟି ପର୍ଯ୍ୟାୟରେ ମତଦାନ ହେବ ।

ସମ୍ବନ୍ଧିତ ଖବର