ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ୪କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ମାସ ୪ ତାରିଖରେ ଆଦେଶ ଶୁଣାଇବେ। ଖଣ୍ଡପୀଠଙ୍କର ପୂର୍ବ ନିର୍ଦ୍ଧାରିତ ତାରିଖ ଅନ୍ତର୍ଗତ ଆଜି ଆଦେଶ ଶୁଣାଇବାର ଥିଲା। ହେଲେ ମାମଲାରେ ବିଚାରପତି ଅରୁଣ ମିଶ୍ରଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ମାମଲାର ସମ୍ପୂର୍ଣ୍ଣ ନଥିପତ୍ର ଓ ଦସ୍ତାବିଜ୍‌ ଗୁଡ଼ିକ ପୂର୍ଣ୍ଣଭାବରେ ଅଧ୍ୟୟନ କରି ପାରିନଥିଲେ। ଏଥିପାଇଁ ଆଜି ଆଦେଶ ଶୁଣାଇଣିବା ସମ୍ଭବପର ହୋଇପାରିଲା ନାହିଁ ବୋଲି ସେ କହିଥିଲେ।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ବିଚାରପତି ଅରୁଣ ମଶ୍ର ଓ ବିଚାରପତି ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ ଆଜି ଆଦେଶ ଶୁଣାଇବା ତାରିଖ ଧାର୍ଯ୍ୟ କରାଯାଇଥିଲା। ମାମଲାରେ ଜଡ଼ିତ ସମସ୍ତ ପକ୍ଷ କୋର୍ଟରେ ଉପସ୍ଥିତ ଥିଲେ। କିଛି ପକ୍ଷମାନଙ୍କ ଦ୍ବାରା ଆଦେଶ ଶୁଣାଇବା ପୂର୍ବରୁ ସେମାନଙ୍କର ବିଭିନ୍ନ ପ୍ରସଙ୍ଗ ଗୁଡ଼ିକୁ ଆଦେଶରେ ସାମିଲ କରିବା ପାଇଁ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାମଲାରେ କୋର୍ଟ ଦ୍ବାରା ନିଯୁକ୍ତ ଆମିକସ କ୍ୟୁରୀ ରଣଜିତ କୁମାର ଖଣ୍ଡପୀଠଙ୍କୁ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ତାଙ୍କ ଦ୍ବାରା ତିନୋଟି ରିପୋର୍ଟ ତଥା ସହଯୋଗୀ ଆମିକସ କ୍ୟୁରୀ ପ୍ରିୟା ହୀଙ୍ଗରାନୀଙ୍କ ଦ୍ବାରା ଦୁଇଟି ରିପୋର୍ଟ ଦାଖଲ କରାଯାଇଥିବାର ଉଲ୍ଲେଖ କରି ଏଗୁଡ଼ିକୁ ସଜ୍ଞାନରେ ନେବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।

ଖଣ୍ଡପୀଠ ଆମିକସ କ୍ୟୁରୀଙ୍କ ରିପୋର୍ଟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଦ୍ବାରା ଦାଖଲ କରାଯାଇଥିବା ରିପୋର୍ଟର ପ୍ରମୁଖ ବିନ୍ଦୁ ଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ଆଦେଶ ଲେଖାଯିବା ପୂର୍ବରୁ ସଜ୍ଞାନରେ ନିଆଯିବ। ଅପରପକ୍ଷେ ଏହି ମାମଲାରେ ଯଦି କୌଣସି ପକ୍ଷ ପରାମର୍ଶ ତଥା ସୁପାରିଶ ଦେବା ପାଇଁ ଚାହିଁବେ ଆସନ୍ତାକାଲି ସୁଦ୍ଧା ସେମାନଙ୍କୁ ଲିଖିତ ନିବେଦନ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିବା ପାଇଁ ଖଣ୍ଡପୀଠ କହିଥିଲେ। ଆଜି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଶ୍ରୀମନ୍ଦିର ସଂସ୍କାରକୁ ମାମଲାକୁ ନେଇ ନଭେମ୍ବର ୪ରେ ଅନ୍ତରୀଣ ଆଦେଶ ଶୁଣାଯିବ। ଆଜି କୋର୍ଟରେ ଦଇତାପତି ନିଯୋଗ ପକ୍ଷରୁ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରାଯାଇଥିଲା। ଶୁଣାଣି ଶେଷରେ ଖଣ୍ଡପୀଠଙ୍କୁ ଓକିଲ ଦେବାଶୀଷ ମିଶ୍ରଙ୍କ ଦ୍ବାରା ଦୀପାବଳି ଶୁଭେଚ୍ଛା ଜଣାଇବାବେଳେ ବିଚାରପତି ଅରୁଣ ମିଶ୍ର ଅତ୍ୟନ୍ତ ଉତ୍ସାହରେ କହିଥିଲେ , ‘ ୟୁଓର୍‌ ଲର୍ଡ ଆଣ୍ଡ ମାଇଁ ଲର୍ଡ ଇଜ୍‌ ଓନ୍‌ଲି ଲର୍ଡ ଜଗନ୍ନାଥ’।

ସମ୍ବନ୍ଧିତ ଖବର