ଜଗଦୀପ ଧନଖଡ଼: ପଶ୍ଚିମବଙ୍ଗ ରାଜ୍ୟପାଳରୁ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଆଜି ଏନ୍‌ଡିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଜଗଦୀପ ଧନଖଡ଼ ୨୦୧୯‌ରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରଠାରୁ ଟିଏମ୍‌ସି ସରକାର ସହ ଲଗାତାର ବିବାଦରେ ରହିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଧନଖଡ଼ ଅଧିକାଂଶ ସମୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ କହିଛନ୍ତି। ଧନଖଡ଼ ପଶ୍ଚିମବଙ୍ଗର ୨୮ତମ ରାଜ୍ୟପାଳ। ୨୦୧୯ ଜୁଲାଇରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ‌ଶପଥ ନେବା ପୂର୍ବରୁ ଧନଖଡ଼ ସୁପ୍ରିମକୋର୍ଟର ଜଣେ ଖ୍ୟାତନାମା ଓକିଲ ଥିଲେ। ୧୯୮୯ ଲୋକସଭା ନିର୍ବାଚନରେ ସେ ରାଜସ୍ଥାନର ଝୁନଝୁନୁ ନିର୍ବାଚନମଣ୍ଡଳୀରୁ ଜେଡି (ଜନତା ଦଳ) ଟିକଟରେ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଧନଖଡ଼ ବିଜେପିରେ ଯୋଗ ଦେଇଥିଲେ। ୧୯୯୦ରେ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ଥିଲେ। ରାଜସ୍ଥାନ ହାଇକୋର୍ଟ ବାର୍‌ ଆସୋସିଏସନର ସେ ପୂର୍ବତନ ଅଧ୍ୟକ୍ଷ। ୧୯୯୦ରେ ସେ ସଂସଦୀୟ କମିଟିର ପୂର୍ବତନ ଅଧ୍ୟକ୍ଷ ଥିଲେ। ୧୯୯୩ରେ ରାଜସ୍ଥାନର କିଶନଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର