ନୂଆଦିଲ୍ଲୀ : ଏନ୍ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳମାନଙ୍କର ମିଳିତ ପ୍ରାର୍ଥୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗାରେଟ ଆଲ୍ଭାଙ୍କୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡ଼ ୩୪୬ ଭୋଟ୍ରେ ପରାଜିତ କରିଛନ୍ତି।
୭୧ ବର୍ଷୀୟ ଧନଖଡ଼ଙ୍କୁ ମୋଟ ୫୨୮ ଭୋଟ୍ ମିଳିଥିବା ବେଳେ ଆଲ୍ଭାଙ୍କୁ ୧୮୨ଟି ଭୋଟ୍ ମିଳିଛି। ମୋଟ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ସାଂସଦ ଭୋଟ୍ ଦେଇଥିବା ବେଳେ ୧୫ଟି ଭୋଟ୍ ନାକଚ ହୋଇଯାଇଛି।
ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହ ଏହି ସୂଚନା ଦେଇ କହିଛନ୍ତି, ନିର୍ବାଚନରେ ୯୨.୯୪ ପ୍ରତିଶତ ମତଦାନ ହୋଇଥିଲା। ସମସ୍ତ ବୈଧ ଭୋଟ୍ରୁ ଧନଖଡ଼ ୭୪.୩୬ ପ୍ରତିଶତ ଭୋଟ୍ ହାସଲ କରିଛନ୍ତି। ୧୯୯୭ ପରଠାରୁ ଦେଶରେ ଅନୁଷ୍ଠିତ ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସର୍ବାଧିକ ବିଜୟ ବ୍ୟବଧାନ ବୋଲି ଜଣାପଡ଼ିଛି।
ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ ଏବଂ ଧନଖଡ଼ ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।
ନବନିର୍ବାଚିତ ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀଗଣ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ବିଟ୍ କରି କହିଛନ୍ତି, ସାର୍ବଜନୀନ ଜୀବନରେ ଧନଖଡ଼ଙ୍କ ବିଶାଳ ଅଭିଜ୍ଞତାରୁ ଦେଶ ଉପକୃତ ହେବ। ଆଜି ରାତିରେ ଧନଖଡ଼ଙ୍କୁ ପ୍ରଧାନମନ୍ତ୍ରୀ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ଧନଖଡ଼ଙ୍କ ପ୍ରତିଦ୍ବନ୍ଦ୍ବୀ ମାର୍ଗାରେଟ ଆଲ୍ଭା ନିର୍ବାଚନ ଫଳ ଘୋଷଣା ପରେ ଟ୍ବିଟ୍ କରି ଧନଖଡ଼ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଲ୍ଭା ତାଙ୍କୁ ଭୋଟ୍ ଦେଇଥିବା ସାଂସଦମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି। ବିରୋଧୀ ଦଳରେ ଫାଟ ନେଇ ଆଲ୍ଭା କହିଛନ୍ତି ଯେ କିଛି ବିରୋଧୀ ଦଳ ସାଂସଦ ବିଜେପିକୁ ସମର୍ଥନ କରି ଧନଖଡ଼ଙ୍କ ପକ୍ଷରେ ଭୋଟ୍ ଦେଇ ନିଜର ବିଶ୍ବସନୀୟତା ହରାଇଛନ୍ତି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଧନଖଡ଼ଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ସାର୍ବଜନୀନ ଜୀବନରେ ଆପଣଙ୍କ ଲମ୍ବା ଅନୁଭବ ଏବଂ ନ୍ୟାୟ ତଥା ଆଇନର ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ଜ୍ଞାନରୁ ଦେଶକୁ ଫାଇଦା ମିଳିବ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଦିନ ଭୋଟ୍ ଗ୍ରହଣ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭୋଟ୍ ଦେଇଥିବା ସାଂସଦଙ୍କ ମଧ୍ୟରେ ସାମିଲ ଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହ୍ବିଲ୍ଚେୟାରରେ ସଂସଦ ଭବନ ପହଞ୍ଚି ମତଦାନ କରିଥିଲେ। ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଅପରାହ୍ନରେ ଭୋଟ୍ ଦେଇଥିଲେ। ବିରୋଧୀ ଦଳମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ର୍ନିବାଚନକୁ ନେଇ ମତଭେଦ ମଧ୍ୟ ସାମ୍ନାକୁ ଆସିଥିଲା। ଟିଏମ୍ସି ଭୋଟ୍ଦାନରୁ ବିରତ ରହିଥିବା ବେଳେ ଏହାର ୨ ଜଣ ସାଂସଦ (ଶିଶିର ଅଧିକାରୀ, ଦିବ୍ୟେନ୍ଦୁ ଅଧିକାରୀ) ଦଳର ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍ ଦେଇଛନ୍ତି। ଟିଏମ୍ସିର ୩୯ ସାଂସଦ ଥିବା ବେଳେ ୨୩ ଜଣ ଲୋକସଭା ସାଂସଦ ଅଛନ୍ତି।