ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଗଦୀଶ ସେଟ୍ଟାର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ୬୭ ବର୍ଷୀୟ ଲିଙ୍ଗାୟତ ନେତା ବେଙ୍ଗାଲୁରୁସ୍ଥିତ ପାର୍ଟି ଅଫିସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଏଆଇସିସି ସାଧାରଣ ସଚିବ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ମିଶିଛନ୍ତି। କଂଗ୍ରେସରେ ଯୋଗ ଦେବାପରେ ସେଟ୍ଟାର କହିଛନ୍ତି, ମୁଁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଲି। ମୁଁ କଂଗ୍ରେସରେ ଯୋଗ ଦେବା ଦେଖି କର୍ଣ୍ଣାଟକରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ ଗତ କିଛି ମାସ ଧରି ମୁଁ ଯେଉଁ ଯନ୍ତ୍ରଣା ଭୋଗିଛି ତାହା କେହି ବୁଝି ପାରିବେନି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ସହ ମୁଁ ଦଳକୁ ଗଢ଼ିଥିଲି। ମୋର ଶୁଭ ଚିନ୍ତକଙ୍କ ନିଷ୍ପତ୍ତି କ୍ରମେ ମୁଁ ଏପରି ନିଷ୍ପତ୍ତି ଦେଇଛି।