ଜଗଦୀଶ ଟାଇଟଲର ଏମ୍‌ସିଡି ନିର୍ବାଚନ କମିଟି ସଦସ୍ୟ, ବିରୋଧ କଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସିଡି ନିର୍ବାଚନ ପାଇଁ ଏଆଇସିସି ଗୁରୁବାର ଦିନ ଏକ ରାଜ୍ୟ ନିର୍ବାଚନ କମିଟି ଘୋଷଣା କରିଛି। ଏମ୍‌ସିଡି ନିର୍ବାଚନ ୨୦୨୨ ପାଇଁ କଂଗ୍ରେସ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ଜଣେ ମୁଖ୍ୟ ଅଭିଯୁକ୍ତ ଜଗଦୀଶ ଟାଇଟଲରଙ୍କୁ ପ୍ରଦେଶ ନିର୍ବାଚନ କମିଟିର ସଦସ୍ୟ କରିଛି। ୪୦ ସଦସ୍ୟ ବିଶିଷ୍ଠ ପ୍ରଦେଶ ନିର୍ବାଚନ କମିଟିରେ ଟାଇଟଲରଙ୍କ ସମେତ ଅନ୍ୟମାନେ ଅଛନ୍ତି। ତେବେ ବିଜେପି ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛି।

ବିଜେପିର ଜାତୀୟ ମୁଖପାତ୍ର ଆର୍‌ପି ସିଂହ କହିଛନ୍ତି, କଂଗ୍ରେସ ଜଗଦୀଶ ଟାଇଟଲରଙ୍କୁ ସେମାନଙ୍କ ଦିଲ୍ଲୀ ନିର୍ବାଚନ କମିଟିରେ ସାମିଲ କରି ଶିଖ୍‌ଙ୍କ କଟା ଘାରେ ଲୁଣ ଦେଇଛି। ଅନେକ ବିଜେପି କାର୍ଯ୍ୟକର୍ତ୍ତା କଂଗ୍ରେସର ଏହି ନିଷ୍ପତ୍ତିକୁ ବିରୋଧ କରି ସୋସିଆଲ ମିଡିଆରେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ‌ତେବେ ଜଣେ ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି, ଟାଇଟଲରଙ୍କ ବିରୋଧରେ କୌଣସି ମାମଲା ନାହିଁ। ଦିଲ୍ଲୀର ଅନେକ ପୂର୍ବତନ ସାଂସଦଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୪ରେ ଏମ୍‌ସିଡି ନିର୍ବାଚନ ହେବ। ଡିସେମ୍ବର ୭ରେ ‌ଭୋଟ୍‌ ଗଣତି ହେବ।

ସମ୍ବନ୍ଧିତ ଖବର