ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାର ଅଭିଯୁକ୍ତ ତଥା କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ଗୁରୁବାର କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ପୁଲ ବଙ୍ଗାଶ ଅଞ୍ଚଳରେ ଘଟିଥିବା ଏହି ହତ୍ୟା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ଏହା ବିରୋଧରେ ଶନିବାର ଦିଲ୍ଲୀର ଶିଖ ଗୁରୁଦ୍ବାରା ପ୍ରବନ୍ଧକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Advertisment

ଅନ୍ୟପକ୍ଷରେ ଶିଖ ଦଙ୍ଗା ସମ୍ପର୍କରେ ସିବିଆଇ ଚାର୍ଜସିଟରେ କେତେକ ଚାଞ୍ଚଲ୍ୟକର କଥା କୁହାଯାଇଛି । ଚାର୍ଜସିଟରେ କୁହାଯାଇଛି ଯେ  ୧୯୮୪ରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ପାଇଁ ଉତ୍ତ୍ୟକ୍ତ ଭୀଡ଼କୁ ଉସୁକାଇଥିଲେ ଟାଇଟଲର । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଉଦ୍ଧାର କରି ସିବିଆଇ କହିଛି ଯେ ଶିଖମାନଙ୍କୁ ହତ୍ୟା କରିବା ସହ ସେମାନଙ୍କ ଦୋକାନକୁ ଲୁଟ କରିବାକୁ ସେ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ । ଟାଇଟଲର ନିଜ ଧଳା ଆମ୍ବାସାଡର କାରରୁ ଓହ୍ଲାଇ ଉତ୍ତ୍ୟକ୍ତ ଭୀଡ଼କୁ ନିର୍ଦ୍ଦେଶ ଦେଉଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଅଧିକରୁ ଅଧିକ ଶିଖଙ୍କୁ ହତ୍ୟା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯେତେ ହତ୍ୟା କଲେ ବି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ ନିଜ ଲୋକମାନଙ୍କୁ ଆଶ୍ବାସନା ଦେଇଥିଲେ ।

ଗତ ମେ ୨୦ରେ ସିବିଆଇ ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଟାଇଟଲରଙ୍କ ବିରୋଧରେ ଦଙ୍ଗା, ହତ୍ୟା ଆଦି ଅଭିଯୋଗ ଲଗାଇଛି ।