ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା: ଆଉ ୬ ଅଭିଯୁକ୍ତ ଗିରଫ, ସିବିଆଇ ହାତକୁ ଗଲା ତଦନ୍ତ ଦାୟିତ୍ବ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସା ମାମଲାରେ ପୁଲିସ ଆଉ ୬ଅଭିଯୁକ୍ତକୁ ଗିରଫ କରିଛି। ଏହି ମାମଲାରେ ପୂର୍ବରୁ ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ୬ଜଣଙ୍କୁ ମିଶାଇ ଏହି ମାମଲାରେ ମୋଟ ୨୦ଜଣ ଗିରଫ ହୋଇଛନ୍ତି। ୨୦ଜଣଙ୍କ ମଧ୍ୟରେ ଦୁଇ ନାବାଳକ ମଧ୍ୟ ଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ଗିରଫ କରିବା ସହିତ ପୁଲିସ ଏପର୍ଯ୍ୟନ୍ତ ୩ଟି ପିସ୍ତଲ ଏବଂ ୫ଟି ଖଣ୍ଡା ଜବତ କରିଛି। ହିଂସା ସୃଷ୍ଟି କରିବା ପାଇଁ ଏହି ପିସ୍ତଲ ଏବଂ ଖଣ୍ଡା ବ୍ୟବହାର କରାଯାଇଥିଲା।

ଗୋଟିଏ ପଟେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ପାଇଁ ଦିଲ୍ଲୀ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ବେଳେ ଅନ୍ୟ ପଟେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବ ନିଜେ ନିଶ୍ଚିତ କରିଛନ୍ତି ଯେ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।

ସଂଘର୍ଷ ଯୋଜନାବଦ୍ଧ ଷଡ଼ଯନ୍ତ୍ର ନା, ବାଦବିବାଦ ପରେ ହଠାତ୍‌ ଆରମ୍ଭ ହୋଇଥିଲା, ତାହା ଜାଣିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ସଂଘର୍ଷସ୍ଥଳର ଅଳ୍ପ କେତେ ମିଟର୍‌ ଦୂରେ ଅବସ୍ଥିତ ‘ଜି’ ବ୍ଲକ୍‌ର ବାସିନ୍ଦାମାନେ କହିଛନ୍ତି ଯେ, ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଟେକାପଥର, ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଦ୍ବାରା ଆମକୁ ଆକ୍ରମଣ କରାଯାଇଥିଲା।

ଆଜି ମଧ୍ୟ ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଦିଲ୍ଲୀରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଉ ୫ କମ୍ପାନି ‘କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ’ ମୁତୟନ କରିଛି। ସହରର ବିଭିନ୍ନ ପ୍ରାନ୍ତରେ ୫ ଶହ ଯବାନଙ୍କୁ ରଖାଯିବ। ନିରାପତ୍ତା ବଜାୟ ରଖାଯାଇଛି ବୋଲି ସୁନିଶ୍ଚିତ ହେବାକୁ ‘ସିଆର୍‌ପିଏଫ୍‌’ ଦିଲ୍ଲୀ ପୁଲିସକୁ ସହାୟତା କରିବ। ଶନିବାର ଦିନ ସେଠାରେ ଦୁଇ କମ୍ପାନି ‘ରାପିଡ୍‌ ଆକ୍ସନ୍‌ ଫୋର୍ସ’ ମୁତୟନ କରାଯାଇଛି।

ଆଜି ଦିଲ୍ଲୀ ‘ବିଜେପି’ର ସଭାପତି ଆଦେଶ ଗୁପ୍ତା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହିତ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀରାମବୀର ସିଂହ ବିଧୁରି ଜାହାଙ୍ଗୀରପୁରୀ ଅନ୍ତର୍ଗତ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ବୁଲି ପୀଡ଼ିତମାନଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର