ମୋ ପୁଅ ରୋଜା ଖୋଲିବାକୁ ଯାଉଥିବା ବେଳେ…ଜାହାଙ୍ଗୀରପୁରୀ ହିଂସାରେ ସାମିଲ ଅଭିଯୁକ୍ତର ମା’ କହିଲେ ସେଦିନର ଘଟଣା

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ପରେ ପୁଲିସ ଏବଂ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ଘଟଣାରେ  ପୁଲିସ ଏ ପର୍ଯ୍ୟନ୍ତ ୨୩ଜଣଙ୍କୁ ଗିରଫ କରିଛି ଏବଂ ଅନ୍ୟ ଅଭିଯୁକ୍ତକୁ ଖୋଜାଖୋଜି ଜାରି ରହିଛି। ସେପଟେ ଅଭିଯୁକ୍ତ ସୋନୁର ମା’ ଘଟଣା ଦିନର ବିବରଣୀ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ସୋନୁ ହାତରେ ବନ୍ଧୁକ ଧରି ଗୁଳି ଚଳାଉଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଏବେ ଖୋଜାଖୋଜି ଆରମ୍ଭ କରିିଛି।

ଏବେ ଏହି ଭିଡିଓ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୋନୁଙ୍କ ମା’। ସେ କହିଛନ୍ତି, ସୋନୁ କ୍ରୋଧିତ ହୋଇ ପିସ୍ତଲଟିକୁ କାହାଠାରୁ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ସେ ଚଳାଇଥିବା ଗୁଳିରେ କେହି ଆହତ ହୋଇନାହାନ୍ତି। ସୋନୁଙ୍କ ମା’ଙ୍କ ଅନୁଯାୟୀ ହିନ୍ଦୁ-ମୁସଲମାନ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ ମୋ ପୁଅ ରୋଜା ଭାଙ୍ଗିବାକୁ ଯାଉଥିଲା। ଏହି ସମୟରେ ଝଗଡ଼ାକୁ ଦେଖି ରାଗରେ ସେ ଅନ୍ୟ କାହାଠାରୁ ପିସ୍ତଲକୁ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ହେଲେ ସେ ଚଳାଇଥିବା ଗୁଳିରେ କେହି ଆହତ ହୋଇ ନଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଲିସକୁ ଡ଼ରି ଏବେ ସେ କେଉଁଆଡ଼େ ଚାଲିଯାଇଛି, ତାହା କେହି ଜାଣନ୍ତି ନାହିଁ। ସୋନୁ ଏ ପର୍ଯ୍ୟନ୍ତ ଘରକୁ ଆସିନାହିିଁ। ତେବେ ପୁଲିସ ସୋନୁଙ୍କ ଭାଇ ସଲିମ ଚିକନାଙ୍କୁ ଗିରଫ କରିଛି। ସେ ହିଂସା ସହ ଜଡିତ ନଥିଲେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଆଜି ପୁଣି ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସାକାଣ୍ଡ ଆରମ୍ଭ ହେବା ସହ ପୁଲିସ ଉପରକୁ ଢେଲା ଫିଙ୍ଗା ଯାଇଛି। ଜେରା ପାଇଁ ଜଣେ ମହିଳାଙ୍କୁ ନିଆଯିବାରୁ ସେ ଅଞ୍ଚଳର ପ୍ରାୟ ୫୦ଜଣ ମହିଳା ପ୍ରତିବାଦ ପ୍ରଦର୍ଶନ କରିବା ସହ ଢେଲା ଫିଙ୍ଗିଥିଲେ। ବିଭିନ୍ନ ଘରର ଛାତ ଉପରୁ ଢେଲାଗୁଡ଼ିକ ଫିଙ୍ଗା ଯାଇଥିବା କଥା ପ୍ରତ୍ୟକ୍ଷ୍ୟଦର୍ଶୀମାନେ କହିଛନ୍ତି। ମହିଳାଜଣକ ଜଣେ ଗିରଫ ଅଭିଯୁକ୍ତଙ୍କ ଭଉଣୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର