ଜାହାଙ୍ଗୀରପୁରୀ ହିଂସା : ପ୍ରମୁଖ ଷଡ଼ଯନ୍ତ୍ରକାରୀ ଫରିଦ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଜାହାଙ୍ଗୀରପୁରୀ  ହିଂସାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଫରିଦକୁ ଦିଲ୍ଲୀ ପୁଲିସ ପଶ୍ଚିମବଙ୍ଗରୁ ଗିରଫ କରିଛି । ସେ ଧାର୍ମିକ ଶୋଭାଯାତ୍ରା ଉପରକୁ ଗୁଳି ଚଳାଇଥିଲା ।  ସେ ମଧ୍ୟ ହିଂସା ଆରମ୍ଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲା । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ମଧ୍ୟ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ଧାର୍ମିକ ଶୋଭାଯାତ୍ରା ଉପରକୁ ଗୁଳି ଚଳାଇବା ପରେ ସେ ପଶ୍ଚିମବଙ୍ଗ ଫେରାର ହୋଇଯାଇଥିଲା । ତା’ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଥିଲା ।

ଗତ ୧୬ ତାରିଖରେ ହନୁମାନ ଜନ୍ମ ଅବସରରେ ଦିଲ୍ଲୀର ଜାହାଙ୍ଗିରପୁରୀ ଦେଇ ଯାଇଥିବା ଧାର୍ମିକ ଶୋଭାଯାତ୍ରା ଉପରକୁ ପଥରମାଡ଼ ପରେ ହିଂସା ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୮ ଜଣ ପୁଲିସ କର୍ମଚାରୀ ଓ ଜଣେ ସ୍ଥାନୀୟ ଲୋକ ଆହତ ହୋଇଥିଲେ ।

ଆଜି ମଧ୍ୟ ଏହି ଘଟଣାରେ ଆଉ ୨ ଜଣ ଗିରଫ ହୋଇଥିଲେ । ଏହି ଦୁଇଜଣ ହେଲେ ଜାଫର ଓ ବାବୁଦ୍ଦିନ । ଏହି ଦୁଇଜଣ ହିଂସାକାଣ୍ଡର ପ୍ରତ୍ୟକ୍ଷଭାବେ ସଂପୃକ୍ତ ଥିଲେ ବୋଲି ପୁଲିସ କହିଛି । ସିସିଟିଭି ଫୁଟେଜ ଓ ମୋବାଇଲ ଭିଡିଓରୁ ଜଣାପଡ଼ିଛି ଯେ ଜାଫର ଏକ ଖଣ୍ଡା ଧରି ଭୀଡ ଭିତରେ ହିଂସାକାଣ୍ଡରେ ଲିପ୍ତ ଥିଲା । ସେହିପରି ବାବୁଦ୍ଦିନ ହିଂସା ପାଇଁ ଉସୁକାଉଥିଲା । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩୦ ଜଣ ଗିରଫ ହୋଇସାରିଲେଣି କିମ୍ବା ଅଟକ ରହିଛନ୍ତି ।

 

ସମ୍ବନ୍ଧିତ ଖବର