ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ଦୁର୍ନୀତି ଏବେ ଦେଶ ସାରା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ନେଟୱର୍କର ଜଣେ ପ୍ରମୁଖ ସଦସ୍ୟ ଅପରେସନର ଜଟିଳ ସ୍ତର ବିଷୟରେ ବୁଝାଇଛନ୍ତି। ସେ ହେଉଛନ୍ତି, ବିଜେନ୍ଦର ଗୁପ୍ତା ଯିଏ ଅତୀତରେ ଏକାଧିକ ପେପର ଲିକ୍ ମାମଲାରେ ସମ୍ପୃକ୍ତ ଥିଲେ ଏବଂ ଦୁଇଥର ଗିରଫ ହୋଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଏଡ଼ାଇବାରେ ସଫଳ ହୋଇଥିଲେ। ପେପର ଲିକ୍ କାରବାରରେ ୨୪ ବର୍ଷର ଅଭିଜ୍ଞତା ଥିବା ଗୁପ୍ତା ୨୦୨୩ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସ୍ଏସ୍‌ସି) ପରୀକ୍ଷା, ବିହାର ଲୋକସେବା ଆୟୋଗ ଓ ମଧ୍ୟପ୍ରଦେଶ ଲୋକସେବା ଆୟୋଗ ସହ ଜଡ଼ିତ ମାମଲାରେ ସମ୍ପୃକ୍ତ ଥିଲେ। ନିଟ୍-ୟୁଜି ୨୦୨୪ ପରୀକ୍ଷା ପୂର୍ବରୁ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବ ବୋଲି ସେ ମାର୍ଚ୍ଚ ମାସରୁ ଭବିଷ୍ୟବାଣୀ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ଗୁପ୍ତା ଦାବି କରିଛନ୍ତି ଯେ ବିହାର ଲୋକସେବା ଆୟୋଗ (ବିପିଏସ୍‌ସି) ଶିକ୍ଷକ ନିଯୁକ୍ତି ପରୀକ୍ଷା ଏବଂ ଓଡ଼ିଶା କନିଷ୍ଠ ଯନ୍ତ୍ରୀ ପ୍ରଶ୍ନପତ୍ର ଲିକ୍ ମାମଲାରେ ଜେଲରେ ଥିବା ବିଶାଲ ଚୌରାସିଆ ମଧ୍ୟ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ କରିପାରନ୍ତି।

Advertisment

ବିଜେନ୍ଦର ଗୁପ୍ତା କହିଛନ୍ତି ଯେ ଫେରାର ଥିବା ନିଟ୍-ୟୁଜି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ମୁଖିଆ ଧରାପଡ଼ିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରଶ୍ନପତ୍ର ଲିକ୍ ୭୦୦ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରିଥିଲା ଏବଂ ଏହି ରାକେଟ୍ ୨୦୦-୩୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲା। ପେପର ଲିକ୍ ଶିଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବିଜେନ୍ଦ୍ର ଗୁପ୍ତା କହିଛନ୍ତି, ପରିବହନ ସମୟରେ ପ୍ରଶ୍ନ ଥିବା ବାକ୍ସ ଭାଙ୍ଗିଯାଏ ଏବଂ କଳା ତାଲିକାଭୁକ୍ତ କଂପାନିଗୁଡ଼ିକ ଟେଣ୍ଡର ପାଇବାରେ ସଫଳ ହୁଅନ୍ତି। ଷ୍ଟିଂ ଅପରେସନରେ ଗୁପ୍ତା କହିଛନ୍ତି, ଜେଲ୍ ଜାଏଙ୍ଗେ, ଫିର ବେଲ୍, ଔର ଫିର୍ ସୁରୁ ହୋଗା ଖେଲ। ଅର୍ଥାତ୍ ଜେଲ୍ ଯିବା ପରେ ଜାମିନ ମିଳେ ଓ ତା’ପରେ ପୁଣି ପେପର ଲିକ୍‌ର ଖେଳ ଚାଲେ। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ହେବ ବୋଲି ତାଙ୍କ ଭାଇରାଲ ଭିଡିଓ ପରେ ତାଙ୍କୁ କିଛି କଲ୍ ଆସିଛି କି ବୋଲି ପଚରାଯିବାରୁ ଗୁପ୍ତା କହିଛନ୍ତି ଯେ ତାଙ୍କ ନମ୍ବର କାହା ପାଖରେ ନାହିଁ।

କଳା ତାଲିକାଭୁକ୍ତ କଂପାନିଗୁଡ଼ିକୁ ଟେଣ୍ଡର ମିଳିଥାଏ ବୋଲି ଦାବି କରି ପରିବହନ ସମୟରେ ପ୍ରଶ୍ନପତ୍ର ଥିବା ବାକ୍ସ କିପରି ଭାଙ୍ଗିଯାଏ ସେ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ। ଗୁପ୍ତା କହିଛନ୍ତି, ଯେତେବେଳେ ଲଜିଷ୍ଟିକ୍ କମ୍ପାନିଗୁଡିକ ପ୍ରଶ୍ନପତ୍ରକୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପରିବହନ କରନ୍ତି ସେତେବେଳେ ବିଭ୍ରାଟ ହୁଏ। ସରକାରୀ ଶକ୍ତିଶାଳୀ ବ୍ୟକ୍ତି ପ୍ରିଣ୍ଟିଂ ପ୍ରେସ୍ ସହିତ ଯୋଡ଼ି ହେବା ମଧ୍ୟ ପେପର ଲିକ୍‌ର ଅନ୍ୟତମ କାରଣ ବୋଲି ବିଜେନ୍ଦର ଗୁପ୍ତା କହିଛନ୍ତି। ସେ କହିଛନ୍ତି, ମେ ୫ରେ ଡାକ୍ତରୀ ପରୀକ୍ଷା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ସେ ନିଜେ ପ୍ରଶ୍ନପତ୍ର ପାଇଥିଲେ।

ନୂଆଦିଲ୍ଲୀ: ନିଟ୍‌-ନେଟ୍‌ ଜାଲିଆତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ମାନଜନକ ପରୀକ୍ଷା ବ୍ୟବସ୍ଥାକୁ ନିରପେକ୍ଷ, ଛାତ୍ର-ଅନୁକୂଳ ଓ ଦୁର୍ନୀତିମୁକ୍ତ କରିବା ତଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କାର୍ଯ୍ୟର ସମୀକ୍ଷା ପାଇଁ ସରକାର ଏକ ୭ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟି ପ୍ରଥମେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣିବା ସହ ଦେଶରେ ପ୍ରବେଶିକା ପରୀକ୍ଷାକୁ କିପରି ଟ୍ୟାମ୍ପର୍-ପ୍ରୁଫ୍ କରାଯାଇପାରିବ ସେ ନେଇ ପରାମର୍ଶ ନେବେ ବୋଲି କମିଟିର ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନ୍ କହିଛନ୍ତି।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅଧ୍ୟକ୍ଷ ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ-କାନପୁରର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଭାବେ କାର୍ଯ୍ୟ କରିଥିବା ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ତଥ୍ୟ ସୁରକ୍ଷା ପ୍ରୋଟୋକଲରେ ଉନ୍ନତି ସମ୍ପର୍କରେ ଆସନ୍ତା ୨ ମାସ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟକୁ ସୁପାରିସ ଦେବ। ସୋମବାର ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରଣାଳୟ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ରାଧାକ୍ରିଷ୍ଣନ କହିଛନ୍ତି ଯେ ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦେଶର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କଠାରୁ ସେମାନଙ୍କ ମତାମତ ନେବା। କମିଟି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବ୍ୟକ୍ତିଗତ ଭାବରେ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ। ରାଧାକ୍ରିଷ୍ଣନ କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ପ୍ରଫେସର ରାମମୂର୍ତ୍ତି କେ ପ୍ରମୁଖ ଅଛନ୍ତି।