କୋର୍ଟ ଭିତରେ ବିଚାରପତିଙ୍କୁ ରୁଟି ଦେଖାଇଲା କଏଦୀ, କହିଲା ଏଭଳି ଖାଦ୍ୟ ପଶୁ ବି ଖାଇବେନି…

ପାଟନା : ବିହାରର ବେଗୁସରାଇରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜେଲର ଜଣେ ଅନ୍ତେବାସୀ କୋର୍ଟରେ ହାଜର ହେବା ସମୟରେ ବିଚାରପତିଙ୍କ ସମ୍ମୁଖରେ ଏକ ରୁଟି ଦେଖାଇ କହିଥିଲେ ଯେ କୌଣସି ପଶୁ ଏହି ରୁଟି ଖାଇବେ ନାହିଁ, କିନ୍ତୁ ଜେଲରେ ଏହା କଏଦୀମାନଙ୍କୁ ଖାଇବା ପାଇଁ ଦିଆଯାଉଛି । ହଠାତ୍ କଏଦୀଙ୍କ  ଏପରି କାର୍ଯ୍ୟକଳାପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କେବଳ ଏତିକି ନୁହେଁ, କଏଦୀଜଣକ ମଧ୍ୟ ବିଚାରପତିଙ୍କୁ କହିଲେ ଯେ ଯଦି ଆପଣ ବିଶ୍ୱାସ କରୁନାହାନ୍ତି, ତେବେ ଯାଇ ନିଜେ ଦେଖିଆସନ୍ତୁ । ଏହି ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବ ବୋଲି କଏଦୀଙ୍କୁ ନିଶ୍ଚିତ କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ରାମଜାପୋ ଯାଦବ ନାମକ ଜଣେ କଏଦୀ ଜେଲରୁ କୋର୍ଟରେ ହାଜର ହୋଇଥିଲେ। କୋର୍ଟକୁ ଯିବା ଆଗରୁ ସେ ତାଙ୍କ ବ୍ୟାଗରେ ଦଶ-ବାର ଖଣ୍ଡ ରୁଟି ରଖିଥିଲେ । କୋର୍ଟରେ ବିଚାରପତିଙ୍କୁ ଦେଖାଇ କହିଥିଲେ- ସାର୍, ଇଏ ସେହି ରୁଟି ଯାହା ଆମକୁ ଖାଇବାକୁ ମିଳିଛି । ଏହି ରୁଟି ଏପରି ହୋଇଛି ଏହାକୁ କୌଣସି ପଶୁ ଖାଇବେ ନାହିଁ । ସେ ଅଭିଯୋଗ କରିଥିଲେ ଯେ ଜେଲରେ ଥିବା ଅନ୍ତେବାସୀଙ୍କୁ ପଶୁମାନଙ୍କ ଅପେକ୍ଷା ଖରାପ ଖାଦ୍ୟ ଖାଇବାକୁ ଦିଆଯାଉଛି ।

କଏଦୀ ଅଭିଯୋଗ କରିଛନ୍ତି ଯେ କଏଦୀମାନଙ୍କୁ ଜେଲ ପ୍ରଶାସନ ଦ୍ୱାରା କଞ୍ଚାରୁଟି ଦିଆଯାଏ ନହେଲେ ପୂରା ପୋଡ଼ି ଯାଇଥିବା ରୁଟି ମିଳିଥାଏ । ସବୁଠାରୁ ବଡ଼ କଥା ହେଉଛି କଏଦୀ ନିଜେ ଜେଲରେ ମିଳୁଥିବା ରୁଟିକୁ ଗୁଡ଼ାଇ କୋର୍ଟକୁ ଆଣିଥିଲେ । କଏଦୀ ଆହୁରି କହିଛନ୍ତି ଯେ ଯଦି ବିଶ୍ୱାସ ହେଉ ନାହିଁ, ତେବେ ତିନିଟା ବେଳେ ଜେଲରେ ଖାଦ୍ୟ ଦିଆଯାଏ, ଆପଣ ଯାଇ ଦେଖିପାରିବେ ।

ସମ୍ବନ୍ଧିତ ଖବର