ପଟିଆଲା: ୧୯୮୮ ମସିହା ‘ରୋଡ୍ ରେଜ୍’ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ଜେଲ୍ରେ ଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଅସୁସ୍ଥ ହେବା ପରେ ଚଣ୍ଡିଗଡ଼ରେ ଥିବା ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚର ହେପାଟୋଲୋଜି ବିଭାଗରେ ଭର୍ତ୍ତି ହୋଇଛନ୍ତି। ତାଙ୍କର କିଡ୍ନି ଜନୀତ ସମସ୍ୟା ଦେଖା ଦେବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେ ଆଗକୁ ଆହୁରି ୨-୩ ଦିନ ହସ୍ପିଟାଲ୍ରେ ରହିପାରନ୍ତି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ତାଙ୍କର ପେଟରେ ଅଚାନକ ଯନ୍ତ୍ରଣା ହେବାରୁ ପଟିଆଲ୍ ଜେଲ୍ର ମେଡିକାଲ୍ ଅଫିସର୍ ତାଙ୍କୁ ପିଜିଆଇ ହସ୍ପିଟାଲ୍ ନେବାକୁ ପରାମର୍ଶ ଦେଇଥିଲେ। ଗତକାଲି ସିଦ୍ଧୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବେଳେ ହସ୍ପିଟାଲ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା କୁହାଯାଇଛି।
୩ ଦଶନ୍ଧି ପୁରୁଣା ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ଗତ ମେ ମାସରେ ଗୋଟିଏ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ କରିଥିଲେ। ୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ରୁପିନ୍ଦର ସିଂହ ସନ୍ଧୁଙ୍କର ଗୁର୍ନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଗାଡ଼ି ପାର୍କିଂକୁ ନେଇ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ଏବଂ ତାଙ୍କ ସହଯୋଗୀ ୬୫ ବର୍ଷୀୟ ଗୁର୍ନାମ ସିଂହଙ୍କୁ ଚାପୁଡ଼ା ଓ ଧକ୍କା ମାରିଥିଲେ। ଗୁରନାମ ସିଂହଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ସଶ୍ରମ ବର୍ଷ ଜେଲ୍ଦଣ୍ଡ ଦେଇଥିଲେ। ସେ ଜେଲ୍ରେ ଥିବା ଅବସ୍ଥାରେ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି।