ତଦନ୍ତରେ ସହଯୋଗ କରୁନାହାନ୍ତି ଜୈନ: ଇଡି

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ ଗିରଫ ମାମଲା

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆମ୍ ଆଦ୍‌ମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟ, ଶକ୍ତି ଓ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୋମବାର ଗିରଫ କରିଥିବା ବେଳେ ଅଧିକ ଜେରା ପାଇଁ ତାଙ୍କୁ ଜୁନ୍ ୯ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇ ଦିଆଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅନେକ ଅଡ଼ୁଆ ପ୍ରଶ୍ନ ପଚାରିଛନ୍ତି।

ଇରାନୀ କେଜରିୱାଲଙ୍କୁ ପଚାରିଛନ୍ତି, ଏହା କ’ଣ ସତ ଯେ ଜୈନ କଳାଟଙ୍କାରେ ୨୦୦ ବିଘା (୩ ବିଘାରେ ୧ ଏକର) ଜମି ହାତେଇଛନ୍ତି? ‌ସେ ପୁଣି ପଚାରିଛନ୍ତି, ଏହି ଜମି କ’ଣ ବେଆଇନ କଲୋନି (ବସ୍ତି) ନିକଟରେ ଅବସ୍ଥିତ ଯାହାକୁ ପରେ ନିୟମିତ କରାଯାଇଛି? ଇଡି ସୋମବାର ଜୈନଙ୍କୁ ପ୍ରିଭେନ୍ସନ ଅଫ୍ ମନିଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ରେ ଗିରଫ କରିଥିଲା। କୋର୍ଟରେ ଇଡି ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିବା ବେଳେ ସ୍ବତନ୍ତ୍ର ଜଜ୍ ଗୀତାଞ୍ଜଳି ଗୋୟଲ ଶୁଣାଣି କରୁଥିଲେ। ଇଡି ଜୈନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଚାହୁଁଥିବାବେଳେ କୋର୍ଟ ଜୁନ୍ ୯ ଯାଏ ଏହାକୁ ମଞ୍ଜୁର କରିଛନ୍ତି। ଜୈନ କିଛି ଉତ୍ତର ଦେଉ ନ ଥିବା ଓ ସବୁ କଥାକୁ ଏଡ଼ାଇ ଚାଲୁଥିବା ଇଡି ପ୍ରକାଶ କରିଛି। ଅପରପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜୈନଙ୍କ ସପକ୍ଷରେ ଓକିଲାତି କରିଛନ୍ତି। ସେ କହିଛନ୍ତି ତାଙ୍କୁ ମିଛ ମକଦ୍ଦମାରେ ଫସାଯାଇଛି। ସେ ନିର୍ଦ୍ଦୋଷ, ଅତ୍ୟନ୍ତ ସଚ୍ଚୋଟ ଓ ଦେଶଭକ୍ତ। ଲୋକମାନେ ମାଗଣା ସ୍ବାସ୍ଥ୍ୟସେବା ପାଇଁ ସେ ମୋହଲ୍ଲା କ୍ଳିନିକ୍‌ର ଯେଉଁ ମଡେଲ ଦେଇଛନ୍ତି ସେଥିପାଇଁ ତାଙ୍କୁ ପଦ୍ମଭୂଷଣ ବା ପଦ୍ମବିଭୂଷଣ ଉପାଧି ଦିଆଯିବା ଉଚିତ ବୋଲି କେଜରିୱାଲ କହିଛନ୍ତି। ତାଙ୍କୁ ଆଗରୁ ସିବିଆଇ କ୍ଳିନ୍ ଚିଟ୍ ଦେଇଛି ଏବଂ ଇଡି ବି ତାଙ୍କୁ କ୍ଳିନ୍ ଚିଟ୍ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର