ନୂଆଦିଲ୍ଲୀ: ଜୟପୁର ମେଟ୍ରୋପଲିଟାନ୍ ଫାଷ୍ଟର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟ ନମ୍ବର ୬ କଳ୍ପନା ପାରିକଙ୍କ କୋର୍ଟରେ ମାର୍ଚ୍ଚ ୨୭ ତାରିଖରେ ଘଟିଥିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି।
ସୂଚନାଯୋଗ୍ୟ, ହନୁମାନଗଡ଼ର ଏସପି ଅରଶଦ ଖାନଙ୍କୁ ଗତ ଏକବର୍ଷ ଧରି ଗିରଫ ୱାରେଣ୍ଟ ମାଧ୍ୟମରେ ପ୍ରମାଣ ପାଇଁ ସମନ କରାଯାଉଥିଲା। କିନ୍ତୁ ଏସପି କୋର୍ଟରେ ହାଜର ହେଉ ନଥିଲେ।
ଗତ ଗୁରୁବାର (୨୭ ମାର୍ଚ୍ଚ) ଦିନ ଏସପି ଅରଶଦ ଅଲି କୋର୍ଟରେ ପହଞ୍ଚିଥିଲେ। ବିଚାରପତି କଳ୍ପନା ପାରିକଙ୍କ ସମ୍ମୁଖରେ ବସି ଏସ୍ପି ତାଙ୍କ ଗିରଫଦାରୀ ୱାରେଣ୍ଟ ଉପରେ ଆପତ୍ତି ଉଠାଇବା ଆରମ୍ଭ କରିଥିଲେ।
ବିଚାରପତି ଏସପିଙ୍କୁ କିଛି ସମୟ ପାଇଁ ଚୁପ ରହିବାକୁ କହିଥିଲେ। କିନ୍ତୁ ଏସପି ବିଚାରପତିଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ନିଜ କଥା କହି ଚାଲିଥିଲେ। ଏସପି ଅରଶଦ ଅଲିଙ୍କ ଏଭଳି ସ୍ବଭାବରେ ବିଚାରପତି କଳ୍ପନା ପାରିକ ଅସନ୍ତୋଷ ବ୍ୟକ୍ତ କରି ଏହାକୁ ଅଦାଲତର ଅବମାନନା ବୋଲି କହି ତୁରନ୍ତ ଏସପିଙ୍କୁ ଦୁଇ ଘଣ୍ଟା ପାଇଁ ନ୍ୟାୟିକ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଦୁଇ ଘଣ୍ଟା ନ୍ୟାୟିକ ହାଜତରେ ରହିବା ପରେ ମଧ୍ୟାହ୍ନ ଭୋଜନ ପରେ ଏସପି ଅରଶଦ ଅଲ୍ଲୀଙ୍କୁ ପବ୍ଲିକ୍ ପ୍ରସିକ୍ୟୁସନ୍ ପ୍ରମାଣ ପାଇଁ ଡକା ଯାଇଥିଲା। ଏ ସମୟରେ ଅରଶଦନିଜର ଭୁଲ ବୁଝି ପାରି କୋର୍ଟରେ ହାଜର ହେବା ମାତ୍ରେ ସେ ତାଙ୍କ ଆଚରଣ ପାଇଁ କ୍ଷମା ମାଗି ଦୁଃଖ ପ୍ରକାଶ କରିଥିଲେ।
ଏଥିସହିତ କୋର୍ଟରେ ଏସପି ଅରଶଦ ଅଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରମାଣ ଦେବାକୁ ବିଚାରପତିଙ୍କୁ ସମୟ ମାଗିଲେ। କିନ୍ତୁ ବିଚାରପତି ଅରଶଦ ଅଲିଙ୍କ ଅନୁରୋଧକୁ ସିଧାସଳଖ ମନା କରି କହିଥିଲେ, ‘ପ୍ରମାଣ ପାଇଁ ଏବେ ଆଉ କୌଣସି ସମୟ ଦିଆଯିବ ନାହିଁ, କାରଣ ଏଥିପାଇଁ ଆପଣ ଗୋଟିଏ ବର୍ଷ ସମୟ ନେଇସାରିଛନ୍ତି। ଯାହା ପ୍ରମାଣ ଦେବାପାଇଁ ଯଥେଷ୍ଟ ଥିଲା।’