୧.୫ କୋଟିର ଜାଗୁଆର ପାଇଁ ପସନ୍ଦ ମୁତାବକ ନମ୍ବର ଆଣିବାକୁ କୋଟିପତି ବ୍ୟବସାୟୀ ଖର୍ଚ୍ଚ କଲେ ୧୬ ଲକ୍ଷ: ଏକଦା ଅର୍ଥ ଉପାର୍ଜନ ପାଇଁ ରାତିରେ ଚଳାଉଥିଲେ ଅଟୋରିକ୍ସା

ଜୟପୁର (ରାଜସ୍ଥାନ): ରାଜସ୍ଥାନର ଜନୈକ କୋଟପତି ବ୍ୟବସାୟୀ ତାଙ୍କର ସୌଖୀନ୍‌ କାର୍‌ ପାଇଁ ନିଜ ପସନ୍ଦ ମୁତାବକ ଏକ ପ୍ରିମିୟମ ନମ୍ବର ଆଣିବା ଉଦ୍ଦେଶ୍ୟରେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ୧.୫ କୋଟି ଟଙ୍କା ବିନମୟରେ କିଣିଥିବା ନିଜର ଏକ ଜାଗୁଆର ଗାଡ଼ି ପାଇଁ ରେଜିଷ୍ଟ୍ରେସନ୍‌ ନମ୍ବର ଭାବେ ଆର୍‌ଜେ ୪୫ ସିଜି ୦୦୦୧ ନମ୍ବର ପାଇବାକୁ କୋଟିପତି ବ୍ୟବସାୟୀ ଜଣକ ଖର୍ଚ୍ଚ କରିଛନ୍ତି ୧୬ ଲକ୍ଷ ଟଙ୍କା।

ଗତ ମାର୍ଚ୍ଚ ୨୫ ତାରିଖ ଠାରୁ କୋଟପତି ବ୍ୟବସାୟୀ ନିଜର ଜାଗୁଆର ଗାଡ଼ିଟିକୁ କିଣି ସାରିଥିଲେ ସୁଦ୍ଧା ଗତ ମଙ୍ଗଳବାର ପର୍ଯ୍ୟନ୍ତ ଏହି ନମ୍ବର ପାଇବାକୁ ଅପେକ୍ଷା କରି ରହିଥିଲେ। ଶେଷରେ ଗତ ମଙ୍ଗଳବାର ୧୬ ଲକ୍ଷ ଟଙ୍କାରେ ନିଲାମ ଡାକି ଏହି ନମ୍ବରଟିକୁ ହାତେଇବାରେ ସମର୍ଥ ହୋଇଛନ୍ତି ଏହି କୋଟିପତି ବ୍ୟବସାୟୀ। ଏତେ ଅର୍ଥ ବିନିମୟରେ କୌଣସି ପ୍ରିମିୟମ ନମ୍ବରର ନିଲାମ ଡାକାଯିବାରେ ଏହା ସମଗ୍ର ଦେଶରେ ପ୍ରଥମ ଘଟଣା ଥିବା ରାଜସ୍ଥାନ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ରାଜସ୍ଥାନର ୩୭ ବର୍ଷ ବୟସ୍କ ଏହି କୋଟିପତି ବ୍ୟବସାୟୀଙ୍କ ନାମ ରହୁଲ ତନେଜା ଏବଂ ତାଙ୍କର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ରହିଛି। ଅନେକ ଦୁଃଖକଷ୍ଟ ଓ ଝଡ଼ଝଞ୍ଜା ଭିତରେ ଗତିକରି ଜଣେ ସଫଳ କୋଟିପତି ବ୍ୟବସାୟୀ ହୋଇପାରିଥିବା ରାହୁଲ ତନେଜାଙ୍କର ନମ୍ବର ୧ ପ୍ରତି ରହିଛି ଏକ ଅହେତୁକ ଦୁର୍ବଳତା। ରାହୁଲ ବିଶ୍ୱାସ କରନ୍ତି ନମ୍ବର ୧ ହେଉଛି, ତାଙ୍କ ପାଇଁ ଅତ୍ୟନ୍ତ ‘ଲକି’; ଆଉ ଏହି ୧ ନମ୍ବର ସହିତ ହିଁ ଯୋଡ଼ି ହୋଇ ରହିଛି ତାଙ୍କ ଭାଗ୍ୟ ଆଉ ଭବିଷ୍ୟତ। ସେଥିପାଇଁ ୨୦୧୧ରେ ସେ ଯେତେବେଳେ ତାଙ୍କର ପ୍ରଥମ ବିଏମ୍‌ଡବ୍‌ଲ୍ୟୁ ୫ ସରିଜ୍‌ର ଗାଡ଼ି କିଣିଲେ ସେତେବେଳେ ସେ ସେହି ଗାଡ଼ିପାଇଁ ଆର୍‌ଜେ ୧୪ ସିପି ୦୦୦୧ ନମ୍ବର ପାଇବାକୁ ଖର୍ଚ୍ଚ କରିଥିଲେ ୧୦.୩୧ ଲକ୍ଷ ଟଙ୍କା। ରହୁଲ ବ୍ୟବହାର କରୁଥିବା ମୋବାଇଲ ଶେଷ ୫ଟି ନମ୍ବର ମଧ୍ୟ ହେଉଛି ୫ଟି ୧।

ରାହୁଲଙ୍କ କାହାଣୀ କୌଣସି ଏକ ଚଳଚ୍ଚିତ୍ରର କାହାଣୀ ଠାରୁ କୌଣସି ଗୁଣରେ କମ୍‌ ନୁହେଁ। ରାହୁଲ କହନ୍ତି, ‘ଜୀବନରେ ଅନେକ ଦୁର୍ଦ୍ଦିନର ସାମନା କରିଛି। ବହୁ ସଂଘର୍ଷ କରିିଛି ଜୀବନରେ। ଏବେ ଯେତେବେଳେ ମୋ ପାଖରେ ପ୍ରଚୁର ଅର୍ଥ ଅଛି ସେତେବେଳେ ମୁଁ ଏହାକୁ ଉପଭୋଗ କରିବାକୁ ଚାହୁଁଛି।’

ରାହୁଲ ବାପାଙ୍କର ମଧ୍ୟପ୍ରଦେଶରେ ଏକ ଟାୟାର ମରାମତି ଦୋକାନ ଥିଲା। ତାଙ୍କ ବାପା ୧୯୮୪ରେ ମଧ୍ୟପ୍ରଦେଶ ଛାଡ଼ି ରାଜସ୍ଥାନ ଚାଲି ଆସିଥିଲେ। ରାହୁଲଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଘର ଛାଡ଼ି ଦେଇଥିଲେ। ପରେ ସେ ସକାଳୁ ବୁଲାବିକାଳି ଭାବେ କାମ କରି ଯାହା ଉପାର୍ଜନ କରୁଥିଲେ, ସେଥିରେ ସେ ପାଠ ପଢ଼ୁଥିଲେ। ସେ ଆଦର୍ଶ ନଗର ଠାରେ ଥିବା ଆଦର୍ଶ ବିଦ୍ୟା ମନ୍ଦରରେ ପାଠ ପଢ଼ୁଥିଲେ ଏବଂ କ୍ଲାସ୍‌ରେ ସବୁବେଳେ ପ୍ରଥମ ହେଉଥିଲେ। ତାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ସେ ବିଭିନ୍ନ ପାର୍ବଣ ଭିତ୍ତିକ ବ୍ୟବସାୟ ଯେପରିକି ମକରରେ ଗୁଡ଼ି, ଲଟେଇ; ହୋଲିରେ ରଙ୍ଗ, ନୂଆବର୍ଷରେ ଗ୍ରିଟିଙ୍ଗସ୍‌ କାର୍ଡ, ରାଖିରେ ରାକ୍ଷୀ, ଦୀପାବଳିରେ ବାଣ, ବଡ଼ଦନରେ କେକ୍‌ ଆଦି ବ୍ୟବସାୟ କରି ଅର୍ଥ ଉପାର୍ଜନ କରିବା ସହ ରାତିରେ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଅଟୋରିକ୍ସା ଚଳାଉଥିଲେ।

ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଜଣେ ପଡ଼ୋଶୀ ତାଙ୍କୁ ମଡେଲିଂ ଦୁନିଆରେ ପାଦ ଦେବାକୁ ପରାମର୍ଶ ଦେଇଥିଲେ। ତାଙ୍କ ଉପଦେଶ ମାନି ରହୁଲ ମଡେଲିଂ ଦୁନିଆରେ ପାଦ ଥାପିଥିଲେ। ପରେ ତାଙ୍କ ଭାଗ୍ୟ ଖୋଲି ଯାଇଥିଲା, ପ୍ରଥମେ ‘ମିଷ୍ଟର ଜୟପୁର’ ପରେ ‘ମିଷ୍ଟର ରାଜସ୍ଥାନ’ ଏହାପରେ ‘ମେଲ୍‌ ଅଫ୍‌ ଦି ଇଅର’ ଆଦି ଟାଇଟିଲ୍‌ ଜିତି ଜଣେ ସଫଳ ମଡେଲ ଭାବେ ନିଜକୁ ପ୍ରତିପାଦିତ କରିବା ସହ ଆରମ୍ଭ କରିଥିଲେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି। ରହୁଲଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ଆଜି ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ୧ ନମ୍ବର କମ୍ପାନି ହୋଇପାରିଥିବା ବେଳେ ରାହୁଲ ହୋଇ ପାରିଛନ୍ତି କୋଟିପତି।

ସମ୍ବନ୍ଧିତ ଖବର