ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ଓ ନକ୍ସଲ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛି। ସୁରକ୍ଷା ଯାଞ୍ଚ ସମୟରେ ନୂଆଦିଲ୍ଲୀ ଏବଂ ମଧ୍ୟପ୍ରଦେଶର ଗ୍ୱାଲିୟରରେ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରକୁ ରାଜସ୍ଥାନ ପୁଲିସ ପଣ୍ଡ କରିଛି।  ଏହି ବୋମା ବିସ୍ଫୋରଣ କାନାଡାର ବାସିନ୍ଦା ତଥା ମୁମ୍ବାଇର ବାବା ସିଦ୍ଦିକି ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଜୀଶାନ ଅଖତରର ନିର୍ଦ୍ଦେଶରେ ଦିଲ୍ଲୀ ଏବଂ ଗ୍ୱାଲିୟରରେ ହେବାର ଯୋଜନା ଥିଲା।

Advertisment

ସ୍ୱାଧୀନତା ଦିବସରେ ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଛଅ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁର୍ବୃତ୍ତଙ୍କ ମଧ୍ୟରୁ ତିନି ଜଣ ନାବାଳକ ଥିବା ଜଣାପଡ଼ିଛି।

ରାଜସ୍ଥାନ ପୁଲିସ ସୂତ୍ରରୁ ପ୍ରକାଶ, ଏହି ଦୁର୍ବୃତ୍ତମାନେ ଜୁଲାଇ ୬ରେ ପଞ୍ଜାବର ସହିଦ ଭଗତ ସିଂହ ନଗରର ନଭାଶହରରେ ଗ୍ରେନେଡ୍ ବିସ୍ଫୋରଣ କରି ଏକ ବଡ଼ ଘଟଣା ଘଟାଇଥିଲେ। ପଞ୍ଜାବରେ ବିସ୍ଫୋରଣ ପରେ ଦୁର୍ବୃତ୍ତମାନେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ।  ରାଜସ୍ଥାନ ପୁଲିସର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଏହି ଦୁର୍ବୃତ୍ତମାନଙ୍କୁ ରାଜଧାନୀ ଜୟପୁର ଏବଂ ଟୋଙ୍କ ଜିଲ୍ଲାରୁ ଗିରଫ କରିବାର ସଫଳ ହୋଇଛି। ଗିରଫ ସମସ୍ତ ଦୁର୍ବୃତ୍ତଙ୍କୁ ପଞ୍ଜାବ ପୁଲିସକୁ ହସ୍ତାନ୍ତର କରି ଦିଆଯାଇଛି।

ଗିରଫ ହୋଇଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରେ ସୋନୁ ଓରଫ କାଲି ପଞ୍ଜାବର କପୁରଥଲାର ଆଲମଗିରର ବାସିନ୍ଦା ଥିବା ବେଳେ ଜିତେନ୍ଦ୍ର ଚୌଧୁରୀ ରାଜସ୍ଥାନର ଟୋଙ୍କ ଜିଲ୍ଲାର ବାସିନ୍ଦା ଏବଂ ସଞ୍ଜୟ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ବାସିନ୍ଦା ଥିବା ଜଣାପଡ଼ିଛି। ବାକି ତିନି ଜଣ ଦୁର୍ବୃତ୍ତ ନାବାଳକ ହୋଇଥିବାରୁ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ।

ରାଜସ୍ଥାନ ପୁଲିସ କରିଥିବା ଯାଞ୍ଚରୁ ଜଣାପଡ଼ିଛି, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ଏହି ଦୁର୍ବୃତ୍ତମାନେ ୧୫ ଅଗଷ୍ଟରେ ନୂଆଦିଲ୍ଲୀ ଏବଂ ମଧ୍ୟପ୍ରଦେଶର ଗ୍ୱାଲିୟରରେ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ର କରିଥିଲେ। ପୁଲିସ ଯଦି ଉଚିତ ସମୟରେ ଏମାନଙ୍କୁ  ଗିରଫ କରି ନଥାନ୍ତା, ତେବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ଦୁର୍ବୃତ୍ତମାନେ ସ୍ୱାଧୀନତା ଦିବସରେ ବୋମା ବିସ୍ଫୋରଣ କରି ଅନେକ କ୍ଷୟକ୍ଷତି କରିଥାଆନ୍ତେ।