ଜୟପୁର ସିରିଏଲ ବୋମା ବିସ୍ଫୋରଣ ମାମଲା : ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତ ନିର୍ଦ୍ଦୋଷ

ଜୟପୁର: ଜୟପୁର ବୋମା ବିସ୍ଫୋରଣ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ନିମ୍ନ ଅଦାଲତ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ସମସ୍ତ ପ୍ରମାଣକୁ ଖାରଜ କରି ହାଇକୋର୍ଟ ୪ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ୪ ଦୋଷୀଙ୍କ ଓକିଲ ସୟଦ ଅଲ୍ଲୀ କହିଛନ୍ତି ଯେ ଏହା ନ୍ୟାୟର ବିଜୟ। ଗତ ୧୬ ବର୍ଷ ଧରି ଆମେ ନ୍ୟାୟ ପାଇଁ ଲଢ଼େଇ କରୁଥିଲୁ। ଏବେ ଏହା ଆମ ପାଇଁ ଆଶ୍ୱସ୍ତିର ଖବର ।

ବୁଧବାର ୨୮ଟି ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଜଷ୍ଟିସ ପଙ୍କଜ ଭଣ୍ଡାରୀ ଓ ଜଷ୍ଟିସ ସମୀର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ଅଧିକାରୀଙ୍କ ପାଖରେ କୌଣସି ଆଇନଗତ ଜ୍ଞାନ ନାହିଁ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ କୁହାଯାଇଛି ।

୨୦୧୯ରେ ଜୟପୁର ବୋମା ବିସ୍ଫୋରଣ ମାମଲାରେ ନିମ୍ନ ଅଦାଲତ ୪ ଅଭିଯୁକ୍ତ ମହମ୍ମଦ ସୈଫ୍, ସୈଫୁର ରେହମାନ, ସରୱାର ଆଜମୀ ଓ ମହମ୍ମଦ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ଅଭିଯୁକ୍ତଙ୍କୁ ୟୁଏପିଏ ଅଧୀନରେ ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଜଣେ ଅଭିଯୁକ୍ତକୁ ଦୋଷମୁକ୍ତ କରାଯାଇଥିଲା । ଏହି ମାମଲାରେ ସମୁଦାୟ ୫ ଜଣ ଅଭିଯୁକ୍ତ ଥିଲେ।

ସୂଚନାଯୋଗ୍ୟ ଯେ, ୨୦୦୮ ମେ ୧୩ରେ ଜୟପୁର ସହରର ବିଭିନ୍ନ ସ୍ଥାନରେ ୮ଟି ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୭୧ ଲୋକ ପ୍ରାଣ ହରାଇଥିଲେ ।

 

ସମ୍ବନ୍ଧିତ ଖବର