ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଚରମ ବିପର୍ଯ୍ୟୟ ପରେ ଦଳ ଭିତରେ ବିଦ୍ରୋହ ସୃଷ୍ଟି ହୋଇଛି। ଦିଲ୍ଲୀର ମୋଟ ୭୦ ଆସନରୁ ଏଥର ବି କଂଗ୍ରେସକୁ ଗୋଟିଏ ବି ମିଳିନାହିଁ। ନେତାଏ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ଲାଗି ପଡ଼ିଛନ୍ତି। ଦଳର ରଣନୀତିକୁ ଦାୟୀ କରିବାଠାରୁ ଆରମ୍ଭ କରି ନେତୃତ୍ବ ପରିବର୍ତ୍ତନ ନେଇ ଅନେକ ନେତା ମୁହଁ ଖୋଲିଛନ୍ତି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନ ଫଳାଫଳ ଦଳକୁ ଖୁବ ନିରାଶ କରିଛି। ଦଳୀୟ ସଂଗଠନରେ ପରିବର୍ତ୍ତନର ଆବଶ୍ୟକତା ଦେଖାଦେଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଏଭଳି ସ୍ଥିତିରେ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନର ଆବଶ୍ୟକତା ରହିଛି। କଂଗ୍ରେସରେ ଅନେକ ନେତା ଏବେ ବି ନିଜକୁ ମନ୍ତ୍ରୀ ବୋଲି ଭାବୁଛନ୍ତି। କଂଗ୍ରେସ କ୍ଷମତାରୁ ଯିବା ୬ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ନେତା ଏବେ ବି ମନ୍ତ୍ରୀ ଅଛନ୍ତି ବୋଲି ମନେ କରୁଛନ୍ତି। କଂଗ୍ରେସ ନେତାଙ୍କୁ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ କରିବାକୁ ପଡିବ। ଏଣୁ କଂଗ୍ରେସ ପାଇଁ ଏକ ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକ ପଡୁଛି ବୋଲି ଜୟରାମ ରମେଶ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦିଲ୍ଲୀ ଫଳାଫଳ କଂଗ୍ରେସ ପାଇଁ କରୋନା ଭାଇରସ ଭଳି ଜଟକା ହୋଇଛି।
ଦିଲ୍ଲୀରେ ବିପର୍ଯ୍ୟୟ ପରେ ଦିଲ୍ଲୀ ଦାୟିତ୍ବରେ ଥିବା କଂଗ୍ରେସ ନେତା ପି.ସି. ଚାକୋ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରାଙ୍କ ଇସ୍ତଫାପତ୍ରକୁ ସୋନିଆ ଗାନ୍ଧି ଗ୍ରହଣ କରିନେଇଛନ୍ତି। ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଦଳର ଏଭଳି ବିପର୍ଯ୍ୟୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ପାଇଁ ଏବେ ଆତ୍ମସମୀକ୍ଷାର ବେଳ ବୋଲି ଶର୍ମିଷ୍ଠା କହିଛନ୍ତି। ସେହିଭଳି କଂଗ୍ରେସର ଜାତୀୟ ମୁଖପାତ୍ର ଜୟବୀର ଶର୍ଗିଲ କହିଛନ୍ତି, କଂଗ୍ରେସ ୩ଟି କଥା ଆଦୌ କରିବା ଉଚିତ ହେବନାହିଁ। ତାହାହେଲା ନିଜର ପରାଜୟକୁ ଉଚିତ ବୋଲି କହିବା, ବିଜେପିର ପରାଜୟରେ ଖୁସି ମନାଇବା ଏବଂ ନିର୍ବାଚନରେ ବିଜୟ, ପରାଜୟ ସାଧାରଣ କଥା କହି ନିଜେ ନିଜକୁ ଠକିବା। ସେହିଭଳି ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍ ଯେତେବେଳେ ଆପ୍ର ପ୍ରଶଂସା କରିଥିଲେ, ସେତେବେଳେ ତାଙ୍କୁ କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ସେହିଭଳି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, କଂଗ୍ରେସକୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ। କଂଗ୍ରେସ ନେତା ପରସ୍ପର ଉପରେ କାଦୁଅ ଫିଙ୍ଗା ଛାଡ଼ି ଦୋଷ ନିଜ ମୁଣ୍ଡ ଉପରକୁ ନେବା ଉଚିତ ହେବ ବୋଲି ରଣଦୀପ କହିଛନ୍ତି। ସେହିଭଳି କଂଗ୍ରେସ ପାଇଁ ଏକ ବଡ଼ ଧରଣର ଅସ୍ତ୍ରୋପଚାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/jairam-ramesh.jpg)