ଜୟପୁର: ରାଜସ୍ଥାନର ଯୋଧପୁର ରାଜପଥରେ ଏକ ଭୟାବହ ବସ୍‌ ଦୁର୍ଘଟଣା ଏକାସାଙ୍ଗରେ ୨୦ ଜଣ ଯାତ୍ରୀଙ୍କ ଜୀବନ ନେବା ସହିତ ଅନେକ ଲୋକଙ୍କ ସ୍ବପ୍ନକୁ ଅଧୁରା କରି ରଖିଦେଲା। ବସ ଅଗ୍ନିକାଣ୍ଡରେ କିଏ ପୁଅ/ଝିଅକୁ, କିଏ ସ୍ତ୍ରୀ/ସ୍ବାମୀଙ୍କୁ , କିଏ ବାପା ଓ ମା’ଙ୍କୁ ତ କିଏ ପୁରା ପରିବାକୁ ହରାଇ ଦେଇଛନ୍ତି। 

Advertisment

ଏହି ଘଟଣାର ଦୃଶ୍ୟ ଦେଖି ଲୋକେ କହୁଛନ୍ତି...ହେ ଦଇବ ତୁ ଏତେ ନିଷ୍ଠୁର କେମିତି ହେଲୁରେ...ଆଗକୁ ଦୀପାବଳି ଆସୁଥିବା ବେଳେ ବେଶ ଖୁସିରେ ଲୋକେ ନିଜ ଘରକୁ, ପରିବାର ପାଖକୁ ଫେରୁଥିବା ବେଳେ ତୁ ସେମାନଙ୍କୁ ଏମିତି ଏକ ରାଇଜକୁ ନେଇଗଲୁ ଯେ ସେମାନେ ଆଉ ଫେରି ପାରିବେ ନାହିଁ। ପରିବାର‌ଲୋକ କେବଳ ସେମାନଙ୍କ ସ୍ମୃତିକୁ ସାଇତି ରଖି ସାରା ଜୀବନ କାନ୍ଦିକାନ୍ଦି ଦିନ କାଟିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ।

ଘଟଣାସ୍ଥଳରେ ୨୦ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।  ଏହି ମୃତକଙ୍କ ମଧ୍ୟରେ ରାମଗଡ଼ ପାୱାର ପ୍ଲାଣ୍ଟରେ କାମ କରୁଥିବା ଜିତେଶ ଚୌହାନ ବି ଅଛନ୍ତି। ଯିଏକି ଦୀପାବଳି ପାଇଁ ଚାକିରିରୁ ଛୁଟି ନେଇ ପରିବାରକୁ ଦେଖିବା ପାଇଁ ଜୈସଲମେରରୁ ଯୋଧପୁର ଯିବା ପାଇଁ  ଖୁବ ଖୁସି ଓ ଉତ୍ସାହର ସହ ବସରେ ବସିଥିଲେ।  

ବସରେ ବସିବା ପରେ ଜିତେଶ ଧର୍ମପତ୍ନୀଙ୍କ ପାଖକୁ ଫୋନ ଲଗାଇ ଘରର ସମସ୍ତ ସଦସ୍ୟଙ୍କ କଥା ବୁଝିବା ପରେ କହିଥିଲେ, ‘ହଉ ତୁମେ ବ୍ୟସ୍ତ ହୁଅ ନାହିଁ। ଖୁବଶୀଘ୍ର ଘରେ ପହଞ୍ଚିଯିବି। ଆମେ ସମସ୍ତେ ମିଶି ଏକାଠି ଦୀପାବଳିକୁ ଧୁମଧାମରେ ପାଳନ କରିବା।’

ସ୍ବାମୀ ଜିତେଶଙ୍କ ସହ ଫୋନରେ କଥା ହେବାପରେ ସ୍ତ୍ରୀ ଟିଭିରେ ଜୈସଲମେର-ଯୋଧପୁର ରୁଟରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ପାଇଥିଲେ। ତାଙ୍କ ମନକୁ ପାପ ଛୁଇଁଥିଲା। ସେ ସଙ୍ଗେସଙ୍ଗେ ସ୍ବାମୀଙ୍କୁ ଫୋନ ଲଗାଇଥିଲେ। ସ୍ବାମୀଙ୍କ ଫୋନ କ୍ରମାଗତ ଭାବେ ବାଜି ଚାଲିଥିଲା କିନ୍ତୁ ଅପରପାର୍ଶ୍ବରୁ କୌଣସି ଉତ୍ତର ଆସୁ ନଥିଲା। ବିଚଳିତ ହୋଇପଡ଼ିଥିଲେ ଜିତେଶଙ୍କ ସ୍ତ୍ରୀ କ’ଣ କରିବେ କିଛି ବୁଝି ବିଚାରି ପାରୁ ନଥିଲେ। 

ପୁଲିସଠାରୁ ସୂଚନା ପାଇବା ପରେ ପରିବାରଲୋକ ପୁଅକୁ ଖୋଜିବା ପାତଇଁ ଯୋଧପୁର ଡାକ୍ତରଖାନାକୁ ଧାଇଁ ଯାଇଥିଲେ। ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ଦେଖି ସେମାନେ କେବଳ ଜିତେଶଙ୍କ ବିଷୟରେ ପଚାରୁଥିଲେ କିନ୍ତୁ ପୁଅର କୌଣସି ସନ୍ଧାନ ମିଳୁ ନଥିଲା। 

ପୁଅକୁ ଖୋଜାଖୋଜି ଭିତରେ ପରିବାରଲୋକ ଜାଣିବାକୁ ପାଇଲେ ଯେ ଦୁର୍ଘଟଣାରେ  ଯେଉଁ ୨୦ଜଣଙ୍କର ମୃତ୍ୟୁ ହୋଇଛି ସେଥିରେ ଜିତେଶ ବି ସାମିଲ ଅଛନ୍ତି। ଏ ଖବର ଜିତେଶଙ୍କ ପରିବାରଲୋକଙ୍କୁ ସ୍ଥାଣୁ କରି ଦେଇଛି। ସେମାନଙ୍କ ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ସ୍ବାମୀ ଜିତେଶଙ୍କୁ ମନେ ପକାଇ ବାହୁନିବାହୁନି କାନ୍ଦିକାନ୍ଦି ସ୍ତ୍ରୀଙ୍କ ବୁଡ଼ି ଯାଉଛି ଚେତା।