ବେଜିଂ : ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବେ ୩ ଦିନିଆ ଚୀନ୍‌ ଗସ୍ତରେ ଅଛନ୍ତି।ଜୟଶଙ୍କର ତାଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଚୀନର ଉପରାଷ୍ଟ୍ରପତି ୱାଙ୍ଗ କିସାନଙ୍କୁ ଭେଟିଛନ୍ତି | ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା | ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ପରେ ଜୟଶଙ୍କର ଚୀନ୍‌ ଗସ୍ତ କରୁଥିବାରୁ ଏହାକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

Advertisment

କାରଣ ଧାରା ୩୭୦ ହଟାଇବା ସହ ଜାମ୍ମୁ-କଶ୍ମୀରର ପୁନର୍ଗଠନ ନେଇ କ୍ଷୁବ୍ଧ ଥିବା ପାକିସ୍ତାନ ବିଶ୍ବ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଉଦ୍ୟମ ଚଳାଇଥିଲେ ମଧ୍ୟ ପାକିସ୍ତାନର ସାଥୀ ଚୀନ ଧରାଛୁଆଁ ଦେଉନି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କ୍ୟୁରେସି ବେଜିଂ ଗସ୍ତ କରି କଶ୍ମୀର ପ୍ରସଙ୍ଗରେ ମତ ରଖିଥିଲେ। ତେବେ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୱି ଆଜି ପାକ୍‌ ବିଦେଶ ମନ୍ତ୍ରୀଙ୍କୁ କହିଥିଲେ ଯେ ଦ୍ବିପାକ୍ଷିକ ବୁଝାମଣାରେ ହିଁ କଶ୍ମୀର ସମସ୍ୟାର ସମାଧାନ ହେବା ଆବଶ୍ୟକ।

publive-image

ଆଜି ଅପରାହ୍ନରେ ଜୟଶଙ୍କର ଚୀନ୍‌ର ବରିଷ୍ଠ ନେତୃବୃନ୍ଦମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ। ସେହିପରି ଆସନ୍ତାବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀ ପାଇଁ ଜିନ୍‌ପିଙ୍ଗ୍‌ଙ୍କ ଭାରତ ଗସ୍ତ ସଂକ୍ରାନ୍ତରେ ମଧ୍ୟ ଜୟଶଙ୍କର ଚୂଡ଼ାନ୍ତ ପ୍ରସ୍ତୁତି କରିବେ। ଜୟଶଙ୍କର ୨୦୦୯ରୁ ୨୦୧୩ ମଧ୍ୟରେ ଚୀନ୍‌ରେ ଭାରତର ରାଷ୍ଟ୍ରଦୂତ ରହିଥିଲେ। ଜୟଶଙ୍କରଙ୍କ ଗସ୍ତ ଅବସରରେ ୩ଟି ଏମ୍‌ଓୟୁ ସ୍ବାକ୍ଷର ହେବାର ଅଛି।