ଜୈସ୍‌-ଇ-ମହମ୍ମଦ ବଦଳାଇଲା ନାମ, ପୁଲଓ୍ଵାମା ଭଳି ୩୦ଟି ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି

ନୂଆଦିଲ୍ଲୀ: ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ଏବେ ଭାରତ ବିରୋଧରେ ନୂଆ ଷଡଯନ୍ତ୍ର କରୁଛି। ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ସମ୍ଭବତଃ ଜୈସ୍‌-ଇ-ମହମ୍ମଦ ନିଜର ନାମ ବଦଳାଇ ମଜଲିସ୍‌-ବୁରାସା-ଇ ସାହୁଦା ଜମ୍ମୁକଶ୍ମୀର କରି ଦେଇଛି। ସଙ୍ଗଠନ ଅନ୍ତରାଷ୍ଟ୍ରୀୟ ଚାପ ପ୍ରଭାବରେ ଏହି ପଦକ୍ଷେପ ନେଇଛି ବୋଲି କୁହାଯାଉଛି। ଭାରତର ଆତଙ୍କବାଦ-ନିୟନ୍ତ୍ରକ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି। ଅନ୍ତର୍ଜାତୀୟ କଟକଣା ପରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ଲାଗି ଜୈସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଆତଙ୍କବାଦ-ନିୟନ୍ତ୍ରକ ଏଜେନ୍ସିଙ୍କ କହିବାନୁସାରେ, ଜୈସ୍‌ କେବଳ ନାମ ବଦଳାଇଛି। ମାତ୍ର  ଏହାର ନେତୃତ୍ବ ଓ ଆତଙ୍କବାଦୀ କ୍ୟାଡରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏହାପୂର୍ବରୁ ଖୁଦାମ-ଅଲ- ଇସ୍‌ଲାମ୍‌ ଓ ଅଲ ରହମତ ଟ୍ରଷ୍ଟ ନାମରେ ଏହି ସଙ୍ଗଠନର କାର୍ଯ୍ୟକଳାପ ପରିଚାଳନା କରାଯାଉଥିଲା।

ପାକିସ୍ତାନ ଉପରେ ନଜର ରଖୁଥିବା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତ ଉପରେ ୩୦ଟି ଆତ୍ମଘାତୀ ଆକ୍ରମଣ ପାଇଁ ଏହି ସଙ୍ଗଠନ ପ୍ରସ୍ତୁତ ରହିଛି। ଏହି ଆକ୍ରମଣ ବିଶେଷ ଭାବେ ସେନା ରହୁଥିବା ଅଞ୍ଚଳ ଓ ସୁରକ୍ଷାବଳଙ୍କ କନଭେୟର୍  ଉପରେ କରିବାକୁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର