ଜଳପଥରେ ଆସି ଭାରତ ଉପରେ ଆତଙ୍କୀ ହାମ୍‌ଲା କରିବା ପାଇଁ ଆତଙ୍କବାଦୀଙ୍କୁ ତାଲିମ୍‌ ପ୍ରଦାନ କରୁଛି ଜୈସ୍‌-ଇ- ମହମ୍ମଦ: ନୌସେନା ଚିଫ୍‌ ଆଡ୍‌ମିରାଲ କରମବୀର ସିଂହ

ପୁଣେ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ ନୂଆ ନୂଆ ଆତଙ୍କବାଦୀମାନଙ୍କୁ ନିଜ ସଂଗଠନରେ ନିଯୁକ୍ତି ଦେବା ସହ ଜଳପଥ ବ୍ୟବହାର କରି ଭାରତରେ କିଭଳି ଆତଙ୍କୀ ହାମ୍‌ଲା କରାଯାଇ ପାରିବ, ସେଥିନେଇ ବ୍ୟାପକ ଯୋଜନା ପ୍ରସ୍ତୁତ କରି ନବ ନୁଯୁକ୍ତ ଆତଙ୍କବାଦୀମାନଙ୍କୁ ଟ୍ରେନିଂ ପ୍ରଦାନ କାର୍ଯ୍ୟ ଆରମ୍ଭ କରି ଦେଇଛି।

ତେବେ, ପାକିସ୍ତାନର ଏ ଚାଲ୍‌ ସଂପର୍କରେ ଜଣା ପଡ଼ିଯିବା ପରେ ଭାରତୀୟ ନୌସେନା ନିଜକୁ ସଂପୂର୍ଣ୍ଣ ସଜାଗ ରଖିବା ସହ ଜୈସ୍‌ ଆତଙ୍କବାଦୀମାନଙ୍କ ପକ୍ଷରୁ କରାଯିବାକୁ ଥିବା ସମସ୍ତ ପ୍ରକାରର ଆତଙ୍କୀ ହାମ୍‌ଲାକୁ ପଣ୍ଡ କରିବା ପାଇଁ ସଦା ପ୍ରସ୍ତୁତ ହୋଇ ରହିଥିବା କହିଛନ୍ତି ନୌସେନାର ଚିଫ୍‌ ଆଡ୍‌ମିରାଲ କରମବୀର ସିଂହ। ଆଜି ପୁଣେ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେବା ସହ ଗୁଇନ୍ଦା ସୂଚନା ଆଧାରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ନୌସେନାକୁ ‘ଫୁଲ୍‌ ଆଲର୍ଟ’ରେ ରଖା ଯାଇଥିବା କହିଛନ୍ତି।

ଏଥିସହ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଜଳପଥ ବ୍ୟବହାର କରି ଆତଙ୍କବାଦୀମାନେ ଦେଶ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତଟ ସୁରକ୍ଷା ବାହିନୀକୁ ସଜାଗ କରି ଦିଆଯିବା ସହ ତଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରି ଦିଆ ଯାଇଛି ବୋଲି ମଧ୍ୟ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ନୌସେନାର ଚିଫ୍‌ ଆଡ୍‌ମିରାଲ କରମବୀର ସିଂହ।

ସମ୍ବନ୍ଧିତ ଖବର