ଦୁର୍ଦ୍ଦାନ୍ତ ଜୈସ୍‌ କମାଣ୍ଡର ନୂର୍‌ ନିହତ; ୩ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ଆତଙ୍କବାଦୀ ସେନାର ନିଦ ହଜାଇ ଦେଇଥିଲା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଜୈସ-ଏ-ମାହମ୍ମଦର ଏକ କୁଖ୍ୟାତ ଆତଙ୍କବାଦୀକୁ ସେନା ରାସ୍ତାରୁ ହଟାଇବାରେ ସଫଳ ହୋଇଛି। କଶ୍ମୀର ଉପତ୍ୟକାର ସେ ଥିଲା ଜୈସର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ। ସେନା ସହ ଗୁଳିବିନିମୟରେ ମୃତ୍ୟୁ ବରଣ କରିଥିବା ଜୈସ କମାଣ୍ଡର ନୂର ମୋହମ୍ମଦ ଟ୍ରାନ୍‌ଟ୍ରେ ପୁଲବାମା ଜିଲ୍ଲାରେ ସକ୍ରିୟ ଥିଲା । ବହୁ ହିଂସାତ୍ମକ ଘଟଣାରେ ସଂପୃକ୍ତ ନୂରକୁ ଭାରତୀୟ ସେନା ଢ଼େର ଦିନ ହେଲା ଖୋଜୁଥିଲେ ମଧ୍ୟ ଧରିବାରେ ବିଫଳ ହୋଇଥିଲା। ଶେଷରେ ତାକୁ ମାରିବାରେ ସଫଳ ହୋଇଛି ।

ତେବେ ସେନା ହାତରୁ ବାରମ୍ବାର ଖସି ଯାଉଥିବା ନୂରକୁ ସହାୟକ ହେଉଥିଲା ତା’ର ଅସାମାନ୍ୟ ଉଚ୍ଚତା। ମାତ୍ର ୩ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥିବାରୁ ବାରମ୍ବାର ସେନାର ନଜରରୁ ସେ ବଞ୍ଚିଯାଉଥିଲା। ସ୍ୱଳ୍ପ ଉଚ୍ଚତା ହେତୁ ଅତି ସହଜରେ ସେ ଲୁଚି ଯିବାରେ ସଫଳ ହେଉଥିଲା । ଉଚ୍ଚତା କମ ଥିବାରୁ ତାକୁ ଧରିବା ପାଇଁ ସବୁବେଳେ ଅସମର୍ଥ ହେଉଥିଲା ଭାରତୀୟ ସେନା ।

ନୂର ମୋହମ୍ମଦ ସେନା ଉପରେ ଆକ୍ରମଣ କରିବା ଯୋଜନା କରୁଛି ବୋଲି ଆମକୁ ସୂଚନା ମିଳିଥିଲା । ଏହା ଜାଣିବା ପରେ ସୋମବାର ସନ୍ଧ୍ୟାରେ ଆମେ ଅପରେସନ୍‌ ଆରମ୍ଭ କରିଥିଲୁ । ତା’ପରେ ଗୁଳିବିନିମୟ ହେଲା। ଏନ୍‌କାଉଣ୍ଟର କରାଯାଇଥିବା ସ୍ଥାନରୁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ମିଳିଥିବା ବେଳେ ଅଧିକ ତଥ୍ୟ ପାଇଁ ଛାନ୍‌ଭିନ ଜାରି ରହିଛି ବୋଲି ଡ଼ିଜିପି ଏସ୍‌ ପି ବେଦ୍‌ କହିଛନ୍ତି ।

୪୭ ବର୍ଷିୟ ନୂର ମୋହମ୍ମଦ କିଛି ଦିନ ପୂର୍ବରୁ କଶ୍ମୀରରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି । ୨୦୦୩ରେ ଗିରଫ ହୋଇଥିବା ମୋହମ୍ମଦଙ୍କୁ ୨୦୧୧ରେ ପୋଟା କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡର ସଜା ଶୁଣାଯାଇଥିବା ବେଳେ କିଛି ମାସ ପୂର୍ବରୁ ପାରୋଲରେ ଆସି ସେ ପୁଣି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା।

ସମ୍ବନ୍ଧିତ ଖବର