ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ‘ଅପରେସନ୍ ସିନ୍ଦୂର’ ନାମକ ଏହି ଆକ୍ରମଣରେ ତିନିଟି ପ୍ରମୁଖ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନ୍ ସହ ଜଡ଼ିତ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଇଥିଲା।
ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ବାହାବଲପୁରରେ ଥିବା ଜୈସ-ଏ-ମହମ୍ମଦ ମୁଖ୍ୟାଳୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ୍ ଥିଲା। ଏହି ସହରକୁ ଜୈସ-ଏ-ମହମ୍ମଦ ଅପରେସନର ସ୍ନାୟୁକେନ୍ଦ୍ର ଭାବରେ ବିବେଚନା କରାଯାଏ ଏବଂ ୨୦୧୯ରେ ପୁଲୱାମା ଆକ୍ରମଣ ପରଠାରୁ ଏହା ଭାରତର ରାଡାରରେ ରହିଆସିଛି। ୨୦୧୯ ଫେବ୍ରୁଆରି ୧୪ରେ ପୁଲଵାମା ଆତଙ୍କବାଦୀ ଆକ୍ରମଣ ପାଇଁ ବାହାବଲପୁରର ସୁଭାନ ଆଲ୍ଲା ମସଜିଦରୁ ଯୋଜନା ହୋଇଥିଲା। ଏହା ଜୈସ-ଏ-ମହମ୍ମଦ (ଜେଇଏମ୍) କ୍ୟାଡରମାନଙ୍କୁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଦେବାର ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା।
ଭାରତ-ପାକିସ୍ତାନ ସୀମାଠାରୁ ୩୦ କିଲୋମିଟର ଦୂର ମୁରିଦକେରେ ଆଉ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ୨୬/୧୧ ମୁମ୍ବାଇ ଆକ୍ରମଣ ସହ ସିଧାସଳଖ ଜଡ଼ିତ ଲସ୍କର-ଏ-ତୋଇବା କାରଖାନା ପାଇଁ ଏହି ସ୍ଥାନ ଜଣାଶୁଣା। ସଶସ୍ତ୍ର ବାହିନୀ ମଧ୍ୟ ପିଓକେର ଗଭୀର ଭିତରେ ଆକ୍ରମଣ କରିଥିଲା। ସୋନମାର୍ଗ (ଅକ୍ଟୋବର ୨୦, ୨୦୨୪), ଗୁଲମାର୍ଗ (ଅକ୍ଟୋବର ୨୪, ୨୦୨୪) ଓ ନିକଟରେ ପହଲଗାମ ଆକ୍ରମଣ ସମେତ ଅନେକ ହାଇପ୍ରୋଫାଇଲ୍ ଆକ୍ରମଣ ସହ ଜଡ଼ିତ ତଙ୍ଗଧର ସେକ୍ଟରରେ ଥିବା ଲସ୍କର-ଏ-ତୋଇବା ହବ୍ ସୱାଇ କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ପୁଞ୍ଚ-ରାଜୌରୀ ଅଞ୍ଚଳରେ ନିୟନ୍ତ୍ରଣରେଖାଠାରୁ ୩୫ କିଲୋମିଟର ଦୂର ଗୁଲ୍ପୁର୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ୨୦୨୩ ଏପ୍ରିଲରେ ପୁଞ୍ଚରେ ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ଜୁନ୍ ୨୦୨୪ରେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ହୋଇଥିବା ଆକ୍ରମଣରେ ଏହାର ଭୂମିକା ଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଭାରତର ବାହ୍ୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର) ଦ୍ବାରା ଉକ୍ତ ୯ଟି ଟାର୍ଗେଟ୍ ଚିହ୍ନଟ କରାଯାଇଥିଲା। ଏହି ଗୁଇନ୍ଦା ସୂଚନା ଆଧାରରେ ସେନା ଲସ୍କରର ୩ଟି, ଜୈସର ୪ଟି ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଟାର୍ଗେଟ୍ ଉପରେ ଆକ୍ରମଣ କରିଥିଲା।
ସେନାର ଟାର୍ଗେଟ୍ ବିସ୍ତୃତ ଭୌଗୋଳିକ ପରିସରକୁ ଅନ୍ତର୍ଭୁକ୍ତ କରିଥିଲା
ବାହାୱଲପୁର: ଅନ୍ତର୍ଜାତୀୟ ସୀମାଠାରୁ ୧୦୦ କିଲୋମିଟର ଦୂର (ଜୈସ ମୁଖ୍ୟାଳୟ)
ମୁରିଦକେ: ସୀମାଠାରୁ ୩୦ କିଲୋମିଟର ଦୂର (୨୬/୧୧ ମୁମ୍ବାଇ ଆକ୍ରମଣ ସହ ଜଡ଼ିତ ଲସ୍କର କ୍ୟାମ୍ପ)
ଗୁଲ୍ପୁର୍: ନିୟନ୍ତ୍ରଣରେଖାଠାରୁ ୩୫ କିଲୋମିଟର ଦୂର (୨୦୨୩ ପୁଞ୍ଚ ଆକ୍ରମଣ ଓ ୨୦୨୪ ତୀର୍ଥଯାତ୍ରୀ ବସ୍ ଆକ୍ରମଣ ସହ ଜଡ଼ିତ)
ସୱାଇ: ପାକ୍ ଅଧିକୃତ କାଶ୍ମୀରର ୩୦ କିଲୋମିଟର ଭିତରକୁ (ସୋନମାର୍ଗ ଓ ଗୁଲମାର୍ଗ ଆକ୍ରମଣ ଏବଂ ନିକଟରେ ପହଲଗାମ ଆକ୍ରମଣ ସହ ଜଡ଼ିତ)
ବିଲାଲ କ୍ୟାମ୍ପ: ଜୈସ-ଏ-ମହମ୍ମଦର ଲଞ୍ଚପ୍ୟାଡ୍
କୋଟଲି କ୍ୟାମ୍ପ: ନିୟନ୍ତ୍ରଣରେଖାଠାରୁ ୧୫ କିଲୋମିଟର ଦୂର (ଲସ୍କର ବମ୍ବର କ୍ୟାମ୍ପ)
ବରନାଲା କ୍ୟାମ୍ପ: ନିୟନ୍ତ୍ରଣରେଖାଠାରୁ ୧୦କିମି ଦୂର
ସର୍ଜଲ କ୍ୟାମ୍ପ: ଅନ୍ତର୍ଜାତୀୟ ସୀମାଠାରୁ ୮କିମି ଦୂର (ଜେଇଏମ୍ କ୍ୟାମ୍ପ)
ମେହମୁନା କ୍ୟାମ୍ପ: ଅନ୍ତର୍ଜାତୀୟ ସୀମାଠାରୁ ୧୫ କିଲୋମିଟର, ସିଆଲକୋଟ ନିକଟ (ହିଜବୁଲ ମୁଜାହିଦ୍ଦିନ ଟ୍ରେନିଂ କ୍ୟାମ୍ପ)
ଅପରେସନ୍ ସିନ୍ଦୂର ଅଧୀନରେ ଏହି ସାମରିକ ଆକ୍ରମଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସମସ୍ତ ୯ଟି ଟାର୍ଗେଟ ଉପରେ ଆକ୍ରମଣ ସଫଳ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନ ସିନ୍ଦୂର ଉପରେ ତୀକ୍ଷ୍ଣ ନଜର ରଖିଥିଲେ।