ଏନଆଇଏ ଚାର୍ଜସିଟରେ ଚମକପ୍ରଦ ତଥ୍ୟ : ତାଲିବାନ ଓ ଅଲକାଇଦା ଶିବିରରେ ତାଲିମ ନେଉଛନ୍ତି ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ : ୨୦୧୯ ପୁଲଓ୍ଵାମା ଆକ୍ରମଣ ସଂପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟରୁ କେତେକ ଚମକପ୍ରଦ ତଥ୍ୟ ଜଣାପଡ଼ିଛି । ଏଥିରେ କୁହାଯାଇଛି ଯେ ମୌଲାନା ମାସୁଦ ଆଝାର ଦ୍ୱାରା ପରିଚାଳିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଅଲକାଇଦା ଓ ତାଲିବାନ ସହିତ ସଂପର୍କ ରହିଛି ।

ଚାର୍ଜସିଟରେ କୁହାଯାଇଛି ଯେ ପୁଲଓ୍ଵାମା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଉମର ଫାରୁକ ଆଫଗାନିସ୍ତାନର ହେଲମଣ୍ଡ ରାଜ୍ୟ ସାଙ୍ଗିନ ଆତଙ୍କବାଦୀ ଶିବିରରେ ତାଲିମ ନେଇଥିଲା । ତାଲିବାନ ଦ୍ୱାରା ପରିଚାଳିତ ଏହି ଶିବିରରେ ପ୍ରାୟ ୧ ହଜାରରୁ ଅଧିକ ଆତଙ୍କବାଦୀ ତାଲିମ ନେଉଛନ୍ତି । ଏହି ଶିବିରରେ ଆତଙ୍କବାଦୀମାନଙ୍କୁ ଲଢୁଆ ତାଲିମ ଦିଆଯିବା ସହ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ନିର୍ମାଣ ସମ୍ପର୍କରେ ଶିକ୍ଷା ଦିଆ ଯାଇଥାଏ । ସେହିପରି ନଂଗାରହର ରାଜ୍ୟରେ ଥିବା ମୁମାଣ୍ଡ ଦାରା, ଦୁର ବାବା ଓ ସେହେରଦାର ଜିଲ୍ଲାରେ ଥିବା ଆତଙ୍କବାଦୀ ଶିବରଗୁଡ଼ିକରେ ଲସ୍କର-ଇ-ତୋଇବାର ପ୍ରାୟ ୮୦୦ ଓ ଜୈସର ପ୍ରାୟ ୨୦୦ ଆତଙ୍କବାଦୀ ତାଲିମ ନେଉଛନ୍ତି ବୋଲି ଜାତିସଂଘର ଏକ ରିପୋର୍ଟକୁ ଉଦ୍ଧାର କରି ଏନଆଇଏ କହିଛି ।

ଏନଆଇଏ ପକ୍ଷରୁ ଗତକାଲି ଦାଖଲ ହୋଇଥିବା ପ୍ରାୟ ୫ ହଜାର ପୃଷ୍ଠାର ଏହି ଚାର୍ଜସିଟରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର, ତା’ ଭାଇ ଅବଦୁଲ ରୌଫ ଅସଗରକୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଥିଲା ।

ସମ୍ବନ୍ଧିତ ଖବର