ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ୍; ସତ୍ୟତା ଯାଞ୍ଚ କରୁଛନ୍ତି ତଦନ୍ତକାରୀ ଏଜେନ୍ସି

ବିସ୍ଫୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ୍ । ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସଂଗଠନ। କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ଟେଲିଗ୍ରାମରେ କରାଯାଇଥିବା ଏକ ଚାର୍ଟରୁ ବିସ୍ଫୋରଣ ପଛରେ ଜୈସ-ଉଲ–ହିନ୍ଦର ହାତ ସମ୍ପର୍କରେ ଜଣାପଡ଼ିଛି । ଏହି ଚାଟରେ ବିସ୍ଫୋରଣ ନେଇ ଆନନ୍ଦ ପ୍ରକାଶ କରାଯିବା ସହିତ ଏହି କାଣ୍ଡ ପାଇଁ ଗର୍ବିତ ହେବା ଭଳି ଲେଖା ରହିଛି।

ପ୍ରାଥମିକ ସୂଚନା ଅନୁସାରେ, ଏହି ବିସ୍ପୋରଣ ଘଟାଇବା ପୂର୍ବରୁ  ଇସ୍ରାଏଲ ଦୂତାବାସ ନିକଟରେ ଏହି ଆତଙ୍କୀ ସଂଗଠନର ସଦସ୍ୟ ରେକି କରିଥିଲେ ।  ବିସ୍ଫୋରଣ ସ୍ଥଳରେ ସିସିଟିଭି ଗୁଡ଼ିକ ବନ୍ଦ ଥିଲା । ମାମଲାର ଛାନଭିନ୍ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଘଟଣାସ୍ଥଳରେ ପହଞ୍ଚିଛି । ୬ରୁ ୭ଜଣ ବରିଷ୍ଠ ଅଧିକାରୀ ଆଜି ସକାଳୁ ବିଜୟ ଚୌକ୍ ନିକଟରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏହାରି ଭିତରେ ମିଳିଥିବା ଏକ ଲଫାପା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଆଡ଼କୁ ଇସାରା କରୁଛି । କାରଣ ଚିଠିରେ ବିସ୍ଫୋରଣକୁ କେବଳ ଟ୍ରେଲର ବୋଲି କୁହାଯାଇଛି ।

ସେହିପରି ଚିଠିରେ ସୈନ୍ୟ କମାଣ୍ଡର ସୁଲେମାନୀ ଓ ପରମାଣୁ ବୈଜ୍ଞାନିକ ମହୋସିନ୍ ଫଖର ଜାଦେଙ୍କ ମୃତ୍ୟୁର ପ୍ରତିଶୋଧ ବୋଲି କୁହାଯାଇଛି । ଦିଲ୍ଲୀରେ ଥିବା ଇରାନ୍ ନାଗରିକଙ୍କ ବାବଦରେ ଯାଂଚକାରୀ ସଂସ୍ଥା ତଥ୍ୟ ଏକତ୍ରିତ କରୁଛନ୍ତି । ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର