ଲସ୍କର, ଜୈସ ପରି ସଂଗଠନ ଏବେ ବି ଭାରତ ବିରୋଧରେ କାର୍ଯ୍ୟ କରୁଛନ୍ତି : ଜୟଶଙ୍କର

ନୂଆଦିଲ୍ଲୀ :  ମିଳିତ ଜାତିସଂଘର ନିରାପତ୍ତା ପରିଷଦରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ଓ ବିଶ୍ବରେ ଆତଙ୍କବାଦର ଅଭିବୃଦ୍ଧି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଛନ୍ତି । ଉଭୟ ଦକ୍ଷିଣ ଏସିଆ ଓ ସମଗ୍ର ବିଶ୍ବର ସୁରକ୍ଷା ପ୍ରତି ଏହି ଘଟଣାର ବଡ଼ ପ୍ରଭାବ ରହିବ ବୋଲି ସେ କହିଛନ୍ତି ।

ପାକିସ୍ତାନକୁ ଟାର୍ଗେଟ କରି ସେ କହିଛନ୍ତି, ଲସ୍କର-ଇ-ତୋଇବା କିମ୍ବା ଜୈସ-ଇ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ବି ଭାରତ ଓ ଆପଗାନିସ୍ତାନ ବିରୋଧରେ କାମ କରିଚାଲିଛନ୍ତି । ଆମ ଦେଶ ନିକଟରେ ଆଇଏସଆଇଏଲ-ଖୋରାସାନ ସଂଗଠନ ସକ୍ରିୟ ହୋଇଯାଇଛି ଓ ଏହା ନିଜର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରୁଛି । ସେହିପରି ହକ୍କାନି ନେଟଓ୍ବାର୍କର ଗତିବିଧି ମଧ୍ୟ ଚିନ୍ତା ଉଦ୍ରେକ କରୁଛି ।

ଆତଙ୍କବାଦ ପରି ବିଶ୍ବ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ବାଛବିଚାର ନ କରି ଗୁରୁତ୍ବର ସହ କାମ କରିବାକୁ ସେ ନିରାପତ୍ତା ପରିଷଦକୁ ଆହ୍ବାନ ଜଣାଇଛନ୍ତି । ସେ କହିଛନ୍ତି କୋଭିଡ୍ ପ୍ରତି ଲାଗୁ ହେଉଥିବା ଏକ ଉକ୍ତି ଆତଙ୍କବାଦ ପାଇଁ ମଧ୍ୟ ପ୍ରଜୁର୍ଯ୍ୟ- ସମସ୍ତେ ନିରାପଦ ନହେବା ପର୍ଯ୍ୟନ୍ତ କେହି ନିରାପଦ ନୁହନ୍ତି ।

ସମ୍ବନ୍ଧିତ ଖବର