ମସ୍କୋରେ ଜୟଶଙ୍କର-ଲାଭରୋଭ ଆଲୋଚନା: ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ବଡ଼ ଭୂମିକା ନେବ ଭାରତ

ଆଲୋଚନାକୁ ଫେରିବାକୁ ଭାରତର ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ୍‌ର ସାମରିକ ଆକ୍ରମଣ ଜାରି ରହିଥିବାବେଳେ ଭାରତର ବିଦେଶମନ୍ତ୍ରୀ ଏସ୍‌ ଜୟଶଙ୍କର ଦୁଇଦିନିଆ ମସ୍କୋ ଗସ୍ତରେ ଅଛନ୍ତି। ଆଜି ଜୟଶଙ୍କର ତାଙ୍କ ରୁଷୀୟ ପ୍ରତିପକ୍ଷ ସର୍ଗି ଲାଭରୋଭଙ୍କ ସହିତ ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ବର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସମରକନ୍ଦଠାରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶୀର୍ଷ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଯୁଦ୍ଧର ଯୁଗ ନୁହେଁ ବୋଲି ମତ ଦେଇଥିଲେ। ସେହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମରକନ୍ଦ ଆଭିମୁଖ୍ୟ ଦୃଷ୍ଟିରୁ ବିଦେଶମନ୍ତ୍ରୀ ଜୟଶଙ୍କର ଆଜି ମସ୍କୋଠାରେ ଆଲୋଚନାକୁ ଫେରିବା ଲାଗି ଦୃଢ଼ମତ ପୋଷଣ କରିଛନ୍ତି।

କରୋନା ମହାମାରୀ, ଆର୍ଥିକ ଚାପ ଏବଂ ବାଣିଜ୍ୟିକ ଅସୁବିଧା କାରଣରୁ ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଛି। ଏହାବ୍ୟତୀତ ରୁଷ-ୟୁକ୍ରେନ ଯୁଦ୍ଧର ପରିଣତି ବି ରହିଛି। ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସବୁଦିନିଆ ସମସ୍ୟା ମଧ୍ୟ ରହିଛି। ଏସବୁ ସମସ୍ୟା ବିଶ୍ବର ଅଗ୍ରଗତି ଓ ସମୃଦ୍ଧିକୁ ବ୍ୟାହତ କରୁଛି ବୋଲି ଜୟଶଙ୍କର କହିଛନ୍ତି।

ଆଜିର ବୈଠକ ଦୁଇ ଦେଶର ଦ୍ବିପାକ୍ଷିକ ସହଯୋଗର ଆକଳନ, ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ମତ ବିନିମୟ ଏବଂ ଦୁଇ ଦେଶର ସ୍ବାର୍ଥ ଉପରେ ପର୍ଯ୍ୟବସିତ ଥିଲା। ଦୁଇ ଦେଶର ମିଳିତ ଲକ୍ଷ୍ୟ କିଭଳି ଭଲଭାବେ ହାସଲ ହେବ ତାହା ନେଇ ଆଲୋଚନା ହୋଇଛି ବୋଲି ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର ସୂଚନା ଦେଇଛନ୍ତି। ଯୁଦ୍ଧ ପରଠାରୁ ନରେନ୍ଦ୍ର ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ସଭାପତି ବୋଲଡିମିର ଜେଲେନ୍ସିଙ୍କ ମଧ୍ୟରେ ଏକାଧିକ ଥର ବୈଠକ ଓ ଆଲୋଚନା ହୋଇଛି। ଏଥିସହିତ ଭାରତ ଓ ରୁଷ ମଧ୍ୟରେ ସରକାରୀ ସ୍ତରରେ ନିରନ୍ତର ସଂପର୍କ ରହିଛି ବୋଲି ଜୟଶଙ୍କର କହିଛନ୍ତି। ବିଶ୍ବର ଦେଶଗୁଡ଼ିକ ପରସ୍ପର ମଧ୍ୟରେ ଏତେମାତ୍ରାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି ଯେ କୌଣସି ସ୍ଥାନରେ ଯୁଦ୍ଧ ସବୁ ପକ୍ଷଙ୍କୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ଅକ୍ଟୋବର ୪ ତାରିଖରେ ଜେଲେନସ୍କିଙ୍କ ସହିତ ଫୋନରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ବିଶ୍ବରେ କୌଣସି ପ୍ରକାର ସାମରିକ ସମାଧାନ ନାହିଁ। ତେଣୁ ଶାନ୍ତି ପାଇଁ ଭାରତ ଯେକୌଣସି ପ୍ରକାର ଯୋଗଦାନ କରିବାକୁ ପ୍ରସ୍ତୁତ ରହିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଭାରତ ଏପର୍ଯ୍ୟନ୍ତ କୌଣସି ଫୋରମରେ ନିନ୍ଦା କରିନାହିଁ। କିନ୍ତୁ ଏହି ସଂକଟ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ ବୋଲି ଭାରତ ଗୁରୁତ୍ବାରୋପ କରିଆସୁଛି। ଆଲୋଚନା ଜରିଆରେ ବୈଶ୍ବିକ ଏବଂ ଆଞ୍ଚଳିକ ସମସ୍ୟାର ସମାଧାନ ହୋଇପାରିବ। ପରିବର୍ତ୍ତିତ ପରିସ୍ଥିତିରେ ଭାରତ ଓ ରୁଷ ମଧ୍ୟରେ ଦୃଢ଼ ସଂପର୍କ ରହିଛି। ଆତଙ୍କବାଦୀ, ଜଳବାୟୁ ପରିବର୍ତ୍ତନ, କୋଭିଡ-୧୯ ମହାମାରୀ ସହିତ ରୁଷ-ୟୁକ୍ରେନ ଯୁଦ୍ଧ ଚିନ୍ତାର କାରଣ ପାଲଟିଛି। ତେଣୁ ଏସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସେହିଭଳି ଲାଭରୋଭ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦୁଇ ଦେଶ ସେମାନଙ୍କ କାର୍ଯ୍ୟ ମଧ୍ୟରେ ସମନ୍ବୟ ରଖୁଛନ୍ତି। ଏସବୁ ଆମର କାର୍ଯ୍ୟସୂଚୀକୁ ସୁଦୃଢ଼ କରୁଛି। ଆଜି ମଧ୍ୟ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତମ ଆଲୋଚନା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର