ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହା ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ ହେବ। ଇସଲାମାବାଦରେ ପହଞ୍ଚିବା ପରେ ଜୟଶଙ୍କର ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବେ । ତେବେ ଏହି ଗସ୍ତ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଡାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୈଠକକୁ ଉଭୟ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି।
ପାଖାପାଖି ୯ ବର୍ଷ ପରେ କୌଣସି ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ପାକିସ୍ତାନ ଗସ୍ତ ହେବାକୁ ଯାଉଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଗସ୍ତ କରିଥିଲେ।
ଜୟଶଙ୍କର ୨୪ ଘଣ୍ଟାରୁ କମ୍ ସମୟ ଧରି ପାକିସ୍ତାନରେ ରହିବେ ବୋଲି ସୂଚନା ମିଳିଛି। ଅକ୍ଟୋବର ୧୫ ଓ ୧୬ ତାରିଖରେ ହେବାକୁ ଥିବା ଏସସିଓ କାଉନସିଲ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ (ସିଏଚଜି) ବୈଠକ ଆୟୋଜନ କରୁଛି ପାକିସ୍ତାନ ।