ରାହୁଲ ଗାନ୍ଧୀଙ୍କ ଆମେରିକା ମନ୍ତବ୍ୟ ଉପରେ ଜୟଶଙ୍କରଙ୍କ କଟାକ୍ଷ

‘ରାଜନୀତିଠାରୁ ବୃହତ୍ତର ବିଷୟ ଅଛି’

ନୂଆଦିଲ୍ଲୀ: ଆମେରିକାରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଶନିବାର କଟାକ୍ଷ କରିଛନ୍ତି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର। ଜୟଶଙ୍କର କହିଛନ୍ତି ଯେ, ରାହୁଲ ଗାନ୍ଧି ବିଦେଶ ଗସ୍ତରେ ଗଲା ବେଳେ ରାଜନୀତି କରନ୍ତି ନାହିଁ ବୋଲି ସ୍ବଦେଶକୁ ଫେରିବା ପରେ ଯୁକ୍ତି କରିବେ। ରାହୁଲଙ୍କ ନାମ ନ ନେଇ ଜୟଶଙ୍କର କହିଛନ୍ତି- ‘କାହା ସହ ମୋର ଭିନ୍ନମତ ଥାଇପାରେ କିନ୍ତୁ କିପରି ମୁଁ ଏହାର ପ୍ରତିବାଦ କରିବି? ମୁଁ ଘରକୁ ଫେରିଲା ପରେ ଏହା କରିବାକୁ ପସନ୍ଦ କରେ। ତେଣୁ ‌ମୁଁ ସ୍ବଦେଶକୁ ଫେରିଲା ପରେ ମୋତେ ଦେଖ।’

ବିଦେଶ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବା ପାଇଁ କେପ୍ ଟାଉନ୍‌ ଯାଇଥିବା ବୈଦେଶିକ ମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ ଏହା କହିଛନ୍ତି। ଜୟଶଙ୍କରଙ୍କ ଭାଷଣ ପରେ ତାଙ୍କୁ ପ୍ରଶ୍ନ ପଚାରିବାକୁ ପ୍ରବାସୀ ଭାରତୀୟଙ୍କୁ ସୁଯୋଗ ଦିଆଯାଇଥିଲା। ରାହୁଲଙ୍କ ନାଁ ନ ନେଇ ଜଣେ ପ୍ରବାସୀ ଭାରତୀୟ ପ୍ରଶ୍ନ କରିଥିଲେ, ଆମେରିକାରେ ଜଣେ କିଛି ମନ୍ତବ୍ୟ ଦେବା ଉପରେ ସେ କ’ଣ କହିବେ? ଜୟଶଙ୍କର କହିଥିଲେ- ଦେଖ, ମୁଁ କେବଳ ମୋ କଥା କହିପାରିବି। ବିଦେଶ ଗସ୍ତରେ ଗଲାବେଳେ ବିଦେଶରେ ରାଜନୀତି ନ କରିବାକୁ ମୁଁ ଚେଷ୍ଟା କରିଥାଏ। ଏଥିପାଇଁ ଯୁକ୍ତି କରିବାକୁ ପ୍ରସ୍ତୁତ ‌ହୋଇ ରହିଥାଏ ଏବଂ ସ୍ବଦେଶକୁ ଫେରିବା ପରେ ସାଂଘାତିକ ଭାବରେ ଯୁକ୍ତି କରିଥାଏ।

ଜୟଶଙ୍କର ପୁଣି କହିଥିଲେ ଯେ, ଗଣତାନ୍ତ୍ରିକ ସଂସ୍କୃତିରେ ସାମୂହିକ ଦାୟିତ୍ବ ରହିଛି। ଦେଶର ସ୍ବାର୍ଥ ଓ ଦେଶର ଭାବମୂର୍ତ୍ତି ରକ୍ଷା କରିବା ସାମୂହିକ ଦାୟିତ୍ବ। ଯେତେବେଳେ ଆପଣ ଦେଶ ବାହାରକୁ ଯାଉଛନ୍ତି, ରାଜନୀତିଠାରୁ ଅନେକ ବୃହତ୍ତର ବିଷୟ ରହିଛି, ଯାହା ଉପରେ ଆପଣ ବକ୍ତବ୍ୟ ରଖିପାରିବେ। ସମସ୍ତେ ଏହା ମନେରଖିବା ଉଚିତ।

କେନ୍ଦ୍ରର ବିଜେପି ସରକାରକୁ ନିଶାଣ କରି ବୁଧବାର ରାହୁଲ କହିଥିଲେ- ଆଜି ଭାରତରେ ମୁସଲମାନଙ୍କ ପ୍ରତି ଯାହା ହେଉଛି, ୧୯୮୦ ଦଶକରେ ତାହା ଦଳିତଙ୍କ ପ୍ରତି ହେଉଥିଲା। ‘ମୋହବତ କୀ ଦୁକାନ’ କାର୍ଯ୍ୟକ୍ରମରେ ସାନ ଫ୍ରାନ୍ସିସ୍କୋରେ ରାହୁଲ କହିଥିଲେ ଯେ ଭାରତରେ ବିଜେପି ନେତୃତ୍ବାଧୀନ ସରକାରର କାର୍ଯ୍ୟ ଦ୍ବାରା ଦେଶର ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀମାନେ ପ୍ରଭାବିତ ହେଉଛନ୍ତି। ଆର୍ଥିକ ଅସମାନତା ବିଷୟରେ ବି ରାହୁଲ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର