ରାହୁଲଙ୍କ ଚୀନ୍ ମନ୍ତବ୍ୟ ଉପରେ ଜୟଶଙ୍କରଙ୍କ ପ୍ରତିକ୍ରିୟା: ଚୀନ୍‌କୁ ନେଇ ଖୁସି ହେବା ଦୁର୍ଭାଗ୍ୟଜନକ

ହିମାଳୟ ଅଞ୍ଚଳ ପ୍ରତି ଚୀନ୍ ଆଡ଼ୁ ବିପଦ ରହିଛି

ନୂଆଦିଲ୍ଲୀ : ଚୀନ୍‌ଠାରୁ ଭାରତ ପ୍ରତି କିଭଳି ବିପଦ ରହିଛି ତାହା ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବୁଝିପାରୁ ନାହାନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟର କିଛିଦିନ ପରେ ଏହା ଉପରେ ଜୟଶଙ୍କର ପ୍ରତିକ୍ରିୟା ରଖିଛନ୍ତି। ରାହୁଲଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେଉଁମାନେ ପୂର୍ବରୁ ଚୀନର ନୀତିକୁ ସମର୍ଥନ କରନ୍ତି ଏବଂ ପରେ ବିରୋଧ କରନ୍ତି ତାହାଦ୍ବାରା କିଛି ଲାଭ ହୁଏନାହିଁ।

ଲଣ୍ଡନଠାରେ ଭାରତୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଥିଲେ, ‘କେହି ଭାରତୀୟ ଅଞ୍ଚଳରେ ପ୍ରବେଶ କରି ନାହାନ୍ତି’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ମାନେ ଚୀନ୍‌କୁ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ପୁନଃ ଅତିକ୍ରମ କରିବା ପାଇଁ ଉତ୍ସାହିତ କରିବା। ଭାରତ କେମିତି ସାମରିକ ବିପଦର ମୁକାବିଲା କରିବା ଉଚିତ ବୋଲି ପଚରାଯିବାରୁ ରାହୁଲ କହିଥିଲେ, ଭାରତ ସମାନ ପ୍ରକାର ସାମରିକ ଭାବରେ ହିଁ ତାହାକୁ ମୁକାବିଲା କରିବା ଉଚିତ। କିନ୍ତୁ ଜୟଶଙ୍କର ଓ ଭାରତ ସରକାର ଚୀନ୍‌ଠାରୁ ଥିବା ବାସ୍ତବ ବିପଦ ବୁଝିପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ବିବୃତିରୁ ବୁଝାପଡ଼ୁଛି ସେ ବାସ୍ତବ ବିପଦ ବିଷୟରେ ଅବଗତ ନୁହନ୍ତି।
ଗାନ୍ଧିଙ୍କ ଏଭଳି ମନ୍ତବ୍ୟର ଉତ୍ତର ଦେଇ ଜୟଶଙ୍କର କହିଛନ୍ତି, ଜଣେ ଲୋକ ଚୀନ୍‌କୁ ନେଇ ଖୁସି ହେବା ଓ ଭାରତକୁ ହେୟଜ୍ଞାନ କରିବା ଦୁର୍ଭାଗ୍ୟଜନକ।

ହିମାଳୟ ଅଞ୍ଚଳ ପ୍ରତି ଚୀନ୍ ଆଡ଼ୁ ବିପଦ ରହିଛି

ନୂଆଦିଲ୍ଲୀ : ପଶ୍ଚିମ ହିମାଳୟ ଅଞ୍ଚଳ ଲଦାଖରେ ଚୀନ୍-ଭାରତ ମଧ୍ୟରେ ପରିସ୍ଥିତି ବିପଜ୍ଜନକ ରହିଛି ଏବଂ କେତେକ ଅଞ୍ଚଳରେ ଉଭୟ ଦେଶର ସେନା ଅତି ପାଖାପାଖି ମୁତୟନ ଅଛନ୍ତି ବୋଲି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ୨୦୨୦ରେ ଉକ୍ତ ଅଞ୍ଚଳରେ ଦୁଇ ଦେଶର ସେନା ମୁହାଁମୁହିଁ ହେବା ଫଳରେ ଅତି କମ୍‌ରେ ୨୪ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏହାପରେ ଏକାଧିକ ଥର କୂଟନୈତିକ ଓ ସାମରିକ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ଗତ ଡିସେମ୍ବର ମାସରେ ପୂର୍ବାଞ୍ଚଳରେ ଦୁଇ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଙ୍କ ‌ସୀମା ସୈନିକ ପୁନର୍ବାର ମୁହାଁମୁହିଁ ହୋଇଥିଲେ ମଧ୍ୟ କାହାରି ମୃତ୍ୟୁ ଘଟି ନ ଥିଲା। ତେବେ ପରିସ୍ଥିତି ଏବେ ବି ସମ୍ବେଦନଶୀଳ ରହିଛି ଏବଂ ଦୁଇ ଦେଶର ସୈନିକ କେତେକ ସ୍ଥାନରେ ପରସ୍ପରଠାରୁ ଅତି ନିକଟରେ ମୁତୟନ ଅଛନ୍ତି ବୋଲି ଆଜି ଜୟଶଙ୍କର ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ରେ କହିଥିଲେ। ସେ କହିଥିଲେ ଯେ ସୀମା ବିବାଦର ସମାଧାନ ନ ହେବା ଯାଏ ଭାରତ-ଚୀନ୍ ସମ୍ପର୍କ ସ୍ବାଭାବିକ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର