ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ବିଭିନ୍ନ ରାଷ୍ଟ୍ରରେ ଭାରତ ବିରୋଧୀ କାର୍ଯ୍ୟକ୍ରମକୁ ବିଦେଶ ମନ୍ତ୍ରୀ ଜୟଶଙ୍କର କଡ଼ା ସମାଲୋଚନା କରିଛନ୍ତି। ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ ହିଂସା ଏବଂ ଜାତୀୟ ପତାକାକୁ ଅପମାନ କରାଯିବା ଘଟଣାକୁ ଭାରତ ସରକାର କଦାପି ବରଦାସ୍ତ କରିବେ ନାହିଁ ବୋଲି ଜୟଶଙ୍କର କହିଛନ୍ତି। ଜାତୀୟ ପତାକାକୁ କେହି ବଳପୂର୍ବକ ଓହ୍ଲାଇ ଦେଲେ ଭାରତ ଚୁପ୍‌ ରହିବ ନାହିଁ ଏବଂ ଚୁପ୍‌ ରହିବା ଦିନ ଅତିକ୍ରାନ୍ତ ହୋଇସାରିଛି ବୋଲି ଜୟଶଙ୍କର କହିଛନ୍ତି। ‘ଲଣ୍ଡନ, କାନାଡ଼ା, ଅଷ୍ଟ୍ରେଲିଆ ଓ ଆମେରିକାରେ ଆମେ କିଛି ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ ଦେଖିୁଛୁ ଏବଂ ଭାରତ ଏହାର ଯଥୋଚିତ ପ୍ରତିକାର କରିବ’ ବୋଲି ଜୟଶଙ୍କର କହିଛନ୍ତି। ଭାରତର ଆଭ୍ୟନ୍ତରୀଣ ମାମଲାରେ କିଛି ପଶ୍ଚିମ ରାଷ୍ଟ୍ର ବୟାନ ଦେବା ସଂପର୍କରେ ଜୟଶଙ୍କରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ ପଶ୍ଚିମ ରାଷ୍ଟ୍ରମାନେ ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବାକୁ ନିଜର ଈଶ୍ବର ପ୍ରଦତ୍ତ ‌ଅଧିକାର ବୋଲି ଧରିନେଇଛନ୍ତି। ସେମାନେ ଏଭଳି କାର୍ଯ୍ୟରୁ ବିରତ ରହିବା ହିଁ ଶ୍ରେୟସ୍କର ବୋଲି ଜୟଶଙ୍କର କହିଛନ୍ତି।