ଆସନ୍ତାକାଲି ବଜେଟ୍‌, ଜନତାଙ୍କ ପାଇଁ ଅଚ୍ଛେ ଦିନ ଆସିବ କି?

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ଆଗତ କରିବେ । ୨୦୧୯ ମସିହାରେ ସାଧରଣ ନିର୍ବାଚନ ଥିବାରୁ ଏହା ହେବ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । କାରଣ ଆସନ୍ତା ବର୍ଷ ସରକାର ଏକ ଲେଖାନୁଦାନ ଆଗତ କରିବେ । ଫଳରେ ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ସରକାର କେତେକ ସୁବିଧା ସୁଯୋଗର ଘୋଷଣା କରିପାରନ୍ତି । ଆୟକର ଛାଡସୀମା ବଢିବାର ସମ୍ଭାବନା ରହିଛି ।

ବିଶେଷଜ୍ଞମାନଙ୍କ ମତରେ ସରକାର ସାମାଜିକ କ୍ଷେତ୍ର, ଗ୍ରାମୀଣ କ୍ଷେତ୍ର, କୃଷି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ କେତେକ ଘୋଷଣା କରିପାରନ୍ତି । ପୁଣି ଟିକସ ରାଜସ୍ୱ ବଢାଇବା, ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସର ମଧ୍ୟକୁ ଆଣିବା, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉନ୍ନତି ପାଇଁ ମଧ୍ୟ ସରକାର କେତେକ ବ୍ୟବସ୍ଥା କରିପାରନ୍ତି ।

ଦୁଇଦିନ ପୂର୍ବେ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷି କ୍ଷେତ୍ରକୁ ନେଇ କେତେକ ଚିନ୍ତା ପ୍ରକଟ କରାଯାଇଥିଲା । ଦେଶର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରର ଉନ୍ନତି ଦ୍ୱାରା ହିଁ ଦେଶର ସାମଗ୍ରୀକ ଅଭିବୃଦ୍ଧି ନିର୍ଭରଶୀଳ । ଏଣୁ ସରକାର କୃଷିର ଉନ୍ନତି ପାଇଁ ବିଶେଷ ଘୋଷଣା କରିପାରନ୍ତି । ସେହିପରି ବିମୁଦ୍ରାୟନ ଓ ଜିଏସଟି ଲାଗୁ ହେବାପରେ ଦେଶର ବ୍ୟବସାୟୀ ଗୋଷ୍ଠୀ ସରକାରଙ୍କ ଉପରେ ଟିକିଏ ଅସନ୍ତୁଷ୍ଟ ଅଛନ୍ତି । ଏଣୁ ଏମାନଙ୍କ ସୁବିଧା ପାଇଁ କେତେକ ଘୋଷଣା ଆଶା କରାଯାଉଛି । ଅନ୍ୟପକ୍ଷରେ ନିଯୁକ୍ତି ବୃଦ୍ଧି, ଆର୍ଥିକ ନିଅଣ୍ଟ ହ୍ରାସ, ବିଦେଶୀ ନିବେଶ ଆକୃଷ୍ଟ କରିବାକୁ ସରକାର ଉଦ୍ୟମ କରିପାରନ୍ତି ।

ସମ୍ବନ୍ଧିତ ଖବର