ଜଳ ଜୀବନ ମିସନ୍‌ରେ ଓଡ଼ିଶାକୁ ୮୩୦ କୋଟି ପ୍ରଦାନ

ନୂଆଦିଲ୍ଲୀ : ‘ଜଳ ଜୀବନ ମିସନ୍‌’ର କ୍ରିୟାନ୍ବୟନ ପାଇଁ ଆଜି ଓଡ଼ିଶାକୁ କେନ୍ଦ୍ର ସରକାର ୮୩୦.୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ‘ହର୍‌ ଘର୍‌ ଜଲ୍‌’ ଯୋଜନାରେ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ମିସନ୍‌ ଲକ୍ଷ୍ୟ ରଖିଛି। କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ, ଓଡ଼ିଶାର ୮୫.୬୭ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ୩୫.୩୭ ଲକ୍ଷ ପରିବାରଙ୍କୁ ପାଇପ୍‌ ପାଣି ଯୋଗାଇ ଦିଆଯାଉଛି। ଯାହାକି ମୋଟ ସଂଖ୍ୟାର ୪୧.୨୮ ପ୍ରତିଶତ। ମିସନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ବଜେଟ୍‌ ବୃଦ୍ଧି କରାଯାଉଛି। ଯୋଜନାରେ ୨୦୨୦-୨୧ରେ ୮୧୨.୧୫ କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ବେଳେ ୨୦୨୧-୨୨ରେ ଏହାକୁ ୩୩୨୩.୪୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଯୋଜନାକୁ ସଫଳ କରିବା ପାଇଁ ଓଡ଼ିଶାରେ ଜଳ ଓ ପରିମଳ କମିଟି ଗଠନ କରାଯାଉଛି। ଆଜି ସୁଦ୍ଧା ୩ ହଜାର ୬୯୫ ଗାଁରେ କମିଟି ଗଠିତ ହୋଇଛି। ଯୋଜନାରେ ମହିଳାମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରାଯାଉଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଛଅଟି କ୍ରିୟାନ୍ବୟନ ସହାୟତା ସଂସ୍ଥାକୁ ନିୟୋଜିତ କରାଯାଇଛି। ଏମାନେ ଗାଁର ଗୋଷ୍ଠୀମାନଙ୍କୁ ନିରାପଦ ଜଳର ମହତ୍ତ୍ବ ବୁଝାଇବା ସହିତ ପଂଚାୟତିରାଜ ସଂସ୍ଥାଗୁଡ଼ିକୁ ଯୋଜନାର କ୍ରିୟାନ୍ବୟନ ପାଇଁ ମଧ୍ୟ ସହାୟତା କରୁଛନ୍ତି। ଓଡ଼ିଶାର ୧୭ ହଜାର ୭୫୬ ଜଣ ମହିଳାଙ୍କୁ ‘ଫିଲ୍‌ଡ କିଟ୍‌ସ ଟେଷ୍ଟ’ ଜରିଆରେ ଜଳର ଗୁଣବତ୍ତା ଯାଞ୍ଚ ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଆଜି ସୁଦ୍ଧା ରାଜ୍ୟର ୩୬ ହଜାର ୩୭୨ ସ୍କୁଲ ଏବଂ ୨୯ ହଜାର ୯୭ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଇପ ପାଣି ଯୋଗାଇ ଦେବା ବ୍ୟବସ୍ଥା ହୋଇଛି। ଏଥି ସହିତ ୭୭ଟି ଜଳ ପରୀକ୍ଷାଗାର ସ୍ଥାପନ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର