ହକ୍କାନି ନେଟ୍‌ଓ୍ଵାର୍କର ସଂସ୍ଥାପକ ଜଲାଲୁଦ୍ଦିନଙ୍କ ଦେହାନ୍ତ

ଇସ୍‌ଲାମାବାଦ୍‌: ଭୟାବହ ଆତଙ୍କବାଦୀ ସଂଗଠନ ହକ୍କାନି ନେଟ୍‌ଓ୍ଵାର୍କର ସଂସ୍ଥାପକ ଜଲାଲୁଦ୍ଦିନ ହକ୍କାନିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁକ୍ତରାଷ୍ଟ୍ର ଆମେରିକା, ନାଟୋ ଏବଂ ଆଫ୍‌ଗାନ୍‌ ସୈନ୍ୟଙ୍କ ବିରୋଧରେ ଗତ ୧୭ ବର୍ଷ ମଧ୍ୟରେ ହୋଇଥିବା କେତେକ ଭୟାବହ ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଦାୟୀ। ତାଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ ଆଫଗାନ ତାଲିବାନ ନିଶ୍ଚିତ କରିଛି।

ତାଙ୍କ ମୃତ୍ୟୁର ସ୍ଥାନ ଏବଂ ସମୟ ବିଷୟରେ ସବିଶେଷ ବିବରଣୀ ନ ଦେଇ ତାଲିବାନ ଏକ ବିବୃତ୍ତିରେ କହିଛି, ଅସୁସ୍ଥ ମୌଲବି ଜଲାଲୁଦ୍ଦିନ ହକ୍କାନି ଗତ କିଛି ବର୍ଷ ହେବ ଅସୁସ୍ଥ ଥିଲେ।

୧୯୭୦ ଦଶକରେ ସଂସ୍ଥାପିତ ହକ୍କାନି ନେଟ୍‌ଓ୍ଵାର୍କ ପୂର୍ବତନ ସୋଭିଏତ୍‌ ଦେଶ ବିରୋଧରେ ୧୯୮୦ ଦଶକବ୍ୟାପୀ ଲଢ଼େଇ କରିଥିଲା। ସେ ସମୟରେ ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନସି (ସିଆଇଏ)ର ଜଲାଲୁଦିନ ଥିଲା ଗୋଟାଏ ମୂଲ୍ୟବାନ ସମ୍ପତ୍ତି।

୧୯୯୬ରେ କାବୁଲରେ କ୍ଷମତାସୀନ ହେବା ପରେ ସେ ତାଲିବାନ ସହ ମେଣ୍ଟ କରି କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ତାଲିବାନ ଶାସନ ଦମନ ପାଇଁ ୨୦୦୧ରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନ ଆକ୍ରମଣ କରିବା ବେଳେ ହକ୍କାନି ତା’ ବିରୋଧ ବନ୍ଧୁକ ଉଠାଇ ଥିଲେ। ପାକିସ୍ତାନ-ଆଫଗାନ ସୀମାନ୍ତରେ ଅଭିଯାନ ଚଳାଇଥିବା କେତେକ ଆତଙ୍କବାଦୀ ଦଳଙ୍କ ମଧ୍ୟରେ ତାଙ୍କର ସଙ୍ଗଠନ ଥିଲା ଅନ୍ୟତମ।

ଆଫଗାନିସ୍ତାନ ଅନ୍ତର୍ଗତ ପାକ୍ତିଆ ପ୍ରଦେଶର ମୂଳନିବାସୀ ଜଲାଲୁଦ୍ଦିନଙ୍କର ପାକିସ୍ତାନ ଓ ଆଫଗାନିସ୍ତାନର ବିବାଦୀୟ ସୀମାନ୍ତ ଡୁରାଣ୍ଡ୍‌ ଲାଇନ୍‌ଉ ଉଭୟ ପାର୍ଶ୍ୱରେ ସମର୍ଥକ ଓ ଲଢୁଆମାନେ ଥିଲେ।

ଗତ ବର୍ଷେ ହେଲା ହକ୍କାନିର ମୃତ୍ୟୁ ସଂକ୍ରାନ୍ତରେ ଗୁଜବ ପ୍ରଚାରିତ ହୋଇ ଆସୁଥିଲା କିନ୍ତୁ, ତାଲିବାନ ସର୍ବଦା ଏ ଭଳି ଦାବିକୁ ଖଣ୍ଡନ କରି ଆସୁଥିଲା। ଆଫଗାନିସ୍ଥାନ ଅଧିକାରୀମାନଙ୍କ କହିବା ଅନୁସାରେ, ହକ୍କାନି ପୂର୍ବରୁ ମରିଛନ୍ତି, କିନ୍ତୁ ତାହା ସର୍ବସାଧାରଣରେ ଘୋଷଣା କରିବାକୁ ତାଲିବାନ୍‌ ସମୁଚ୍ଚିତ ସମୟ ଖୋଜୁଥିଲା।

ସମ୍ବନ୍ଧିତ ଖବର