ଜାମା ମସଜିଦରେ ମହିଳାଙ୍କ ପ୍ରବେଶ ଉପରେ ରୋକ ଆଦେଶ ରଦ୍ଦ ହେଲା, ଭିକେ ସକ୍ସେନାଙ୍କ ହସ୍ତକ୍ଷେପ ପରେ ବଦଳିଲା ନିଷ୍ପତ୍ତି

ନୂଆଦିଲ୍ଳୀ: ମସ୍‌ଜିଦ୍‌ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଥିଲା ଜାମା ମସ୍‌ଜିଦ୍‌ ମସ୍କ ମ୍ୟାନେଜ୍‌ମେଣ୍ଟ୍‌ କମିଟି। ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜାମା ମସ୍‌ଜିଦ୍‌ ମସ୍କ ମ୍ୟାନେଜ୍‌ମେଣ୍ଟ୍‌ କମିଟି ନୋଟିସ ଜାରି କରି କହିଥିଲା। ହେଲେ ଏହାକୁ ନେଇ ତୀବ୍ର ବିରୋଧ ହେବାରୁ ଏବେ ନିଷ୍ପତ୍ତି ବଦଳିଛି। ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ପ୍ରସଙ୍ଗକୁ ନେଇ ଜାମା ମସଜିଦର ଶାହି ଇମାମଙ୍କ ସହ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ପରେ ହିଁ ବିବାଦୀୟ ନୋଟିସ ପ୍ରତ୍ୟାହାର କରାଯିବ ବୋଲି କୁହାଯାଉଛି।

ଶାହି ଇମାମଙ୍କ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି। କିନ୍ତୁ ମସଜିଦର ପବିତ୍ରତାକୁ ସମ୍ମାନ ଦିଆଯିବା ଉଚିତ ଏବଂ ସେଠାରେ କୌଣସି ଭୁଲ କାମ ନକରିବାକୁ ଶାହି ଇମାମ ନିବେଦନ କରିଥିବା ସାମ୍ନାକୁ ଆସିଛି। ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ବିବାଦ ମୁଣ୍ଡ ଟେକୁଥିବା ଦେଖି ଭିକେ ସକ୍ସେନା ଓ ଶାହି ଇମାମ ପରସ୍ପର ସହ କଥା ହୋଇଥ‌ିଲେ।

ତେବେ କମିଟି ପକ୍ଷରୁ କୁହାଯାଇଥିଲା ଯେ ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟ।

ମସ୍‌ଜିଦ୍‌ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ମସ୍‌ଜିଦ୍‌ର ପିଆର୍‌ଓ କହିଥିଲେ ଯେ ‘ଯୁବତୀ କିମ୍ବା ମହିଳା ଏକାକୀ ଆସିଲେ ବହୁ ଭୁଲ୍‌ କାମ ହେଉଛି। ମସ୍‌ଜିଦ୍‌ ସାମ୍ନାରେ ସେମାନେ ଭିଡିଓ ବନାଇ ଭାଇରାଲ୍‌ କରୁଛନ୍ତି। ମସ୍‌ଜିଦ୍‌ର ଶୃଙ୍ଖଳା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।’

ସମ୍ବନ୍ଧିତ ଖବର