ଜମ୍ମୁ-କାଶ୍ମୀରରେ ଜମାତ-ଏ-ଇସଲାମିର ୯୦ କୋଟି ଟଙ୍କାର ସମ୍ପତ୍ତି ସିଲ୍

ଅନନ୍ତନାଗ : ଜମ୍ମୁ-କାଶ୍ମୀର ରାଜ୍ୟ ତଦନ୍ତ ସଂସ୍ଥା (ଏସ୍‌ଆଇଏ) ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ୧୧ଟି ସ୍ଥାନରେ ଆଜି ଚଢ଼ଉ କରି ନିଷିଦ୍ଧ ଜମାତ-ଏ-ଇସଲାମି ସଂଗଠନର ୯୦ କୋଟି ଟଙ୍କାର ଘର/ସମ୍ପତ୍ତିକୁ ସିଲ କରିଦେଇଛି। ଏହି ଘର ବା ସମ୍ପତ୍ତିଗୁଡ଼ିକରେ କାହାରି ପ୍ରବେଶ ବା ବ୍ୟବହାରକୁ ନିଷିଦ୍ଧ କରାଯାଇଛି।

ଜବତ ସମ୍ପତ୍ତିଗୁଡ଼ିକ ଭିତରେ ରହିଛି- ବିଜବେହାଡ଼ାରେ ଥିବା ଏକ ଘର, ଦାଞ୍ଜିପୁରାଠାରେ ଥିବା ଏକ ବଗିଚା, ଅରୱାନିଠାରେ ଥିବା ଏକ ସପିଂ କମ୍ପ୍ଲେକ୍ସ, ଜାବଲିପୁରାଠାରେ ଥିବା ଏକ ଦୁଇ ମହଲା ଆବାସିକ କୋଠା, ବିଦ୍ଦି ଶ୍ରୀଗୁଫୱାରା ଗାଁରେ ୭ଟି ନିର୍ମାଣାଧୀନ ଦୋକାନ ଓ ୪ଟି କୋଠରିବିଶିଷ୍ଟ ଘର ଏବଂ ହାକୁରା ଗାଁରେ ଥିବା ଏକ ଅବ୍ୟବହୃତ କୋଠା।

ଜମ୍ମୁ-କାଶ୍ମୀରରେ ଉକ୍ତ ନିଷିଦ୍ଧ ସଂଗଠନର ୧୮୮ଟି ସମ୍ପତ୍ତିକୁ ଏସ୍‌ଆଇଏ ଚିହ୍ନଟ କରିଛି ଏବଂ ଆଗାମୀ ଦିନରେ ସେଗୁଡ଼ିକ ଉପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି। ୨୦୧୯ ମସିହାରେ କେନ୍ଦ୍ର ସରକାର ଦେଶ-ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୫ ବର୍ଷ ପାଇଁ ଏହି ସଂଗଠନକୁ ନିଷିଦ୍ଧ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର