କଶ୍ମୀରରେ ଏଯାଏଁ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ: ବିସ୍ଫୋରଣରେ ୪୪ ଯବାନ ସହିଦ

ଶ୍ରୀନଗର: ପୁଲବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଗୁରୁବାର ସହିଦ ଯବାନଙ୍କ ସଂଖ୍ୟା ୪୪ରେ ପହଂଚିଛି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ‘ସିଆରପିଏଫ୍‌’ର ବସ୍‌କୁ ଆକ୍ରମଣ କରାଯିବାରୁ ଏହି ଘଟଣା ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ୪୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମର ଉରି ଠାରୁ ମଧ୍ୟ ଭୟଙ୍କର ଓ ବଡ଼ ବୋଲି ଚର୍ଚ୍ଚା ହେଉଛି।

ଆତଙ୍କବାଦୀ ଆକ୍ରମଣ ଘଟଣା ପରେ

-ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଶୁକ୍ରବାର ଜମ୍ମୁରୁ ଶ୍ରୀନଗର ଯିବେ।
-ଦକ୍ଷିଣ କଶ୍ମୀରରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ଏବଂ ଶ୍ରୀନଗରରେ ୨ଜି ବେଗରେ ହ୍ରାସ କରି ଦିଆଯାଇଛି।
-କ୍ୟାବିନେଟ କମିଟିର ବୈଠକ ଶୁକ୍ରବାର ୯ଟା ୧୫ରେ ବସିବ।
-ନେପାଲ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।
-ବିସ୍ଫୋରଣ ସ୍ଥଳକୁ ଶୁକ୍ରବାର ପୂର୍ବାହ୍ନରେ ଏନ୍‌ଆଇଏର ୧୨ ଜଣିଆ ଟିମ ଗସ୍ତ କରିପାରନ୍ତି।

ସିଆରପିଏଫ ଯବାନମାନଙ୍କୁ ନେଇ ୭୦ଟି ବସ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା । ଏହାପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ ବସ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଓବଦୁଲ୍ଲା ଏହି ଘଟଣାର ନିନ୍ଦା କରିଛନ୍ତି । ସିଆରପିଏଫର ୫୪ ବାଟାଲିୟନର ଏକ ବସ ଯବାନମାନଙ୍କୁ ନେଇ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଅଓ୍ଵନ୍ତିପୁରା ନିକଟରେ ଆତଙ୍କବାଦୀମାନେ ବିସ୍ଫୋରକ ଭରା ଏକ କାରକୁ ଏହି ବସ ସହିତ ଧକ୍କା ଦେଇଥିଲେ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଅପରାହ୍ନ ୩ଟା୩୦ ବେଳେ ଏହି ଘଟଣା ଘଟିଥିଲା ।

ଏହି ଘଟଣା ପରେ ଭାରତରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ସେନାଧ୍ୟକ୍ଷ ବି.କେ ସିଂହ ଏହି ଘଟଣା ପରେ ଆତଙ୍କବାଦୀଙ୍କୁମାନଙ୍କୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି । ସହିଦଙ୍କ ପ୍ରତିଟି ରକ୍ତବିନ୍ଦୁର ହିସାବ ନିଆଯିବା ସହ ଆତଙ୍କୀ ହମଲାର ପ୍ରତିଶୋଧ ନିଆଯିବ । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ବି.କେ ସିଂହ ।

କେମିତି ହୋଇଥିଲା ଆକ୍ରମଣ : ଜମ୍ମୁ-କାଶ୍ମୀରର ଶ୍ରୀନଗର ଅଭିମୁଖେ  ସିଆରପିଏଫର ୨୫୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ  ଯାଉଥିବା ବେଳେ ପୁଲୱାମାର ଅଓ୍ଵନ୍ତିପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ବସ୍ ସହ ଆଇଇଡି ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ ମହିନ୍ଦ୍ରା ସ୍କର୍ପିଓକୁ  ଧକ୍କା କରିଥିଲେ । ଏଥିରେ ୩୫୦ କିଲୋ ବିସ୍ଫୋରକ ଲଦାଯାଇଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ବଡ ଧରଣର ବିସ୍ଫୋରଣ ହେବା ସହ ୩୦ ଜଣ ଯବାନ ସହିଦ ହୋଇଥିଲେ । ମିିଳିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସିଆରପିଏଫ ବସରେ ୩୯ଜଣ ଯବାନ ଯାତ୍ରା କରୁଥିଲେ ।

ସମ୍ବନ୍ଧିତ ଖବର