ଜମ୍ମୁକଶ୍ମୀର ପୁଲିସ କନ୍‌ଷ୍ଟେବଳଙ୍କୁ ଅପହରଣ ପରେ ହତ୍ୟା: ୨୫ ପୁଲିସକର୍ମୀଙ୍କୁ ହତ୍ୟା କଲେଣି ଆତଙ୍କବାଦୀ

ଶ୍ରୀନଗର: ପୁଣି ଜଣେ ପୁଲିସ କର୍ମୀଙ୍କୁ ଅପହରଣ କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ଜମ୍ମୁକଶ୍ମୀର ପୁଲିସରେ କାର୍ଯ୍ୟରତ କନ୍‌ଷ୍ଟେବଳ ମହମ୍ମଦ ସଲିମ୍‌ ଶାହଙ୍କୁ ଗତ ଶୁକ୍ରବାର ରାତିରେ ଅଜଣା ବନ୍ଧୁକଧାରୀ ଅପହରଣ କରି ନେଇଥିଲେ। ଶନିବାର ଅପରାହ୍ନରେ ରାଜ୍ୟର କୁଲଗାମ୍‌ ଜିଲ୍ଲାରେ କାଇମୋରେ ସଲିମ୍‌ଙ୍କ ମୃତଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା।

ଜମ୍ମୁକଶ୍ମୀର ପୁଲିସର ମୁଖ୍ୟପାତ୍ରଙ୍କ କହିବା ଅନୁଯାୟୀ, ମହମ୍ମଦ ସଲିମ୍‌ ଶାହ ପ୍ରଥମେ ଜଣେ ଏସ୍‌ପିଓ ଭାବେ ନିୟୁକ୍ତି ପାଇବା ପରେ କନ୍‌ଷ୍ଟେବଳ ପଦକୁ ଉନ୍ନୀତ ହୋଇଥିଲେ। ସେ ଛୁଟିରେ ନିଜ ଗାଁ ମୁଥାଲ୍‌ହାମାକୁ ଯାଇଥିଲେ। ସେଠାରୁ ତାଙ୍କୁ ଅଜଣା ବନ୍ଧୁକଧାରୀ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଶନିବାର ତାଙ୍କର ଗୁଳିବଦ୍ଧ ଶରୀର କାଇମୋରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ କୌଣସି ଆତଙ୍କବାଦୀ ସଙ୍ଗଠନ ତାଙ୍କ ହତ୍ୟାର ଦାବି କରି ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଶାହା ହେଉଛନ୍ତି ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଜମ୍ମୁକଶ୍ମୀର ପୁଲିସର ୨୫ତମ କର୍ମଚାରୀ। ଏଇ ମାସରେ ପୁଲିସ କନ୍‌ଷ୍ଟେବଳ ଜାଭିଦ ଅହମ୍ମଦ ଦାରଙ୍କୁ ମଧ୍ୟ ଏହି ପରି ଭାବେ ଆତଙ୍କବାଦୀ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର