ଶ୍ରୀନଗର (ଜମ୍ମୁ- କଶ୍ମୀର): ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ଆଜି (ସୋମବାର) ଚରମ ଚେତାବନୀ ଶୁଣାଇଛନ୍ତି ଜମ୍ମୁ- କଶ୍ମୀରର ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ। ରାଜ୍ୟପାଳ ମଲ୍ଲିକ କହିଛନ୍ତି ଯେ ଭାରତୀୟ ସେନା ରବିବାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନରୁ ଶିକ୍ଷା ଗ୍ରହଣ ନକରି ପାକ୍‌ ଆତଙ୍କବାଦୀମାନେ ଯଦି ପୁଣି କିଛି ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ କରନ୍ତି, ତେବେ ଭାରତୀୟ ସେନା ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ସବୁ ଆତଙ୍କବାଦୀଙ୍କୁ ସମୂଳେ ନିପାତ କରିବା ସହ ସବୁ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବାକୁ କୁଣ୍ଠାବୋଧ କରିବ ନାହିଁ। ତେଣୁ, ପାକ୍‌ ଆତଙ୍କବାଦୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ମଲ୍ଲିକ୍‌।

Advertisment

ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାଜ୍ୟପାଳ ମଲ୍ଲିକ କହିଛନ୍ତି, ‘ଯଦି ପାକ୍‌ ଆତଙ୍କବାଦୀ ଗୋଷ୍ଠୀ କୌଣସି ପ୍ରକାରର ଭାରତ ବିରୋଧୀ କାର୍ଯ୍ୟ କଲେ ତେବେ, ସବୁ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସବୁ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବା ଲକ୍ଷ୍ୟରେ ଭାରତୀୟ ସେନା ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରିବ। ଆଉ ଆତଙ୍କବାଦୀଙ୍କୁ ସମୂଳେ ନିପାତ କରିବା ପର୍ଯ୍ୟନ୍ତ ନିଜର କାର୍ଯ୍ୟାନୁଷ୍ଠାନ ଜାରି ରଖିବ।’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାକ୍‌ ଅଧିକୃତ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନା ରବିବାର ଅତର୍କିତ ଚଢ଼ାଉ କରି ୨୨ ଆତଙ୍କବାଦୀଙ୍କୁ ନିପାତ କରିବା ସହ ୪ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍‌କୁ ଧ୍ୱଂସ କରି ଦେଇଥିଲା।