ଜମ୍ମୁ କାଶ୍ମୀର ବନ୍ଧୁକ ଲାଇସେନ୍ସ ଦୁର୍ନୀତି ମାମଲା: ବରିଷ୍ଠ ଆଇଏଏସ୍‌ଙ୍କ ଘର ସମେତ ୪୦ ସ୍ଥାନରେ ସିବିଆଇ ଚଢ଼ଉ

ଶ୍ରୀନଗର : ବନ୍ଧୁକ ଲାଇସେନ୍ସ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ବରିଷ୍ଠ ଜମ୍ମୁ କାଶ୍ମୀର ଆଇଏଏସ୍‌ ଅଫିସର ସାହିଦ୍‌ ଇକବଲ୍‌ ଚୌଧୁରୀଙ୍କ ଘର ସମେତ ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର ପ୍ରାୟ ୪୦ଟି ସ୍ଥାନରେ ଚଢ଼ଉ କରିଛି। ଜମ୍ମୁ କାଶ୍ମୀରରେ ଆଜି ଶ୍ରୀନଗର, ଉଧମପୁର, ରାଜୌରୀ, ଅନନ୍ତନାଗ ଏବଂ ବ‌ାରମୂଳାରେ ସିବିଆଇ ଚଢ଼ଉ ହୋଇଛି।

ଚୌଧୁରୀ ଏବେ ଆଦିବାସୀ ବ୍ୟାପାର ସଚିବ ଏବଂ ଜମ୍ମୁ କାଶ୍ମୀର ମିସନ୍‌ ୟୁଥ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି। ପୂର୍ବରୁ ସେ କାଠୁଆ, ରିଆସି, ରାଜୌରି, ଉଧମପୁର ଜିଲ୍ଲାରେ ‌ଡେପୁଟି କମିସନର ଥିଲେ। ଏହି ସମୟରେ ସେ ବେଆଇନ ଭାବେ ନକଲି ନାମ‌ରେ ରାଜ୍ୟ ଏବଂ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳର ହଜାର ହଜାର ଲୋକଙ୍କୁ ବନ୍ଧୁକ ଲାଇସେନ୍ସ ଦେଇଥିବା ନେଇ ପ୍ରମାଣ ମିଳିଥିଲା। ଉକ୍ତ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରାୟ ୮ ଜଣ ପୂର୍ବତନ ଡେପୁଟି କମିସନରଙ୍କୁ ଜେରା କରୁଛି।

ଉଲ୍ଲେଖଯୋଗ୍ୟ, ୨୦୧୨ରୁ ଜମ୍ମୁ କାଶ୍ମୀରରେ ୨ ଲକ୍ଷରୁ ଅଧିକ ବେଆଇନ ବନ୍ଧୁକ ଲା‌ଇସେନ୍ସ ଦିଆଯାଇଛି। ଏହା ଦେଶର ସର୍ବବୃହତ୍‌ ବନ୍ଧୁକ ଲାଇସେନ୍ସ ରୢା‌କେଟ୍‌ ବୋଲି କୁହାଯାଉଛି। ଗତବର୍ଷ ମଧ୍ୟ ଆଇଏଏସ୍‌ ଅଧିକାରୀ ରାଜୀବ ରଂଜନଙ୍କ ସମେତ ୨ ଜଣ ଅଫିସର ସିବିଆଇ ଦ୍ବାରା ଗିରଫ ହୋଇଥିଲେ। ରଂଜନ ଏବଂ ଇତ୍‌ରତ ହୁସେନ୍‌ ରଫିକ୍‌ କୁପୱାଡ଼ା ଜିଲ୍ଲାରେ ଡେପୁଟି କମିସନର ଭାବେ କାର୍ଯ୍ୟକାଳ ସମୟରେ ଏଭଳି ଅନେକ ବେଆଇନ ବନ୍ଧୁକ ଲାଇସେନ୍ସ ଜାରି କରିଥିଲେ। ସିବିଆଇ ପୂର୍ବରୁ ମଧ୍ୟ କହିଛି ଯେ, ଉକ୍ତ ଘଟଣାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଛି। ସୂଚନାଯୋଗ୍ୟ, ୨୦୧୭ରେ ରାଜସ୍ଥାନ ଏଟିଏସ୍‌ (ଆତଙ୍କବାଦ ନିରୋଧ ସ୍କ୍ବାଡ୍‌) ଦ୍ବାରା ଏହି ଦୁର୍ନୀତିର ପ୍ରଥମେ ପର୍ଦ୍ଦାଫାସ ହୋଇଥିଲା।

ସମ୍ବନ୍ଧିତ ଖବର