ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ଲସ୍କର-ଇ-ତୋଏବାର ଜଣେ ଶୀର୍ଷ କମାଣ୍ଡରଙ୍କ ସମେତ ଦୁଇ ଜଣ ଆତଙ୍କବାଦୀ ନିହତ ହେବାର କିଛି ଘଣ୍ଟା ପରେ ସୁରକ୍ଷା ଅଧିକାରୀମାନେ ଏକ ଛୋଟ ଗୁମ୍ଫାର ଫଟୋ ଜାରି କରିଛନ୍ତି, ଯାହାକୁ ଆତଙ୍କବାଦୀମାନେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ। ଫଟୋରେ ରାଜୌରୀ ଅଂଚଳର ଜଙ୍ଗଲରେ ଏକ ଛୋଟ ଗୁମ୍ଫା ସଦୃଶ ସ୍ଥାନ ଦେଖିବାକୁ ମିଳିଛି। ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଏହାକୁ ଆତଙ୍କବାଦୀମାନେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ ଯାହାକୁ ଠାବ କରିବା ଓ ଭାଙ୍ଗିବା ଅପେକ୍ଷାକୃତ କଷ୍ଟକର।
ବୁଧବାର ଓ ଗୁରୁବାର ଦିନ ହୋଇଥିବା ଦୁଇ ଦିନିଆ ଏନକାଉଣ୍ଟରରେ ସ୍ପେଶାଲ ଫୋର୍ସର ଦୁଇ କ୍ୟାପଟେନଙ୍କ ସମେତ ୫ ଜଣ ସେନା ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ।
ଏହି ଏନକାଉଣ୍ଟରରେ ନିୟୋଜିତ ଆତଙ୍କବାଦୀମାନେ ଯେପରି ଘଞ୍ଚ ଜଙ୍ଗଲ ମଧ୍ୟକୁ ଖସି ନ ଯାଆନ୍ତି ସେଥିପାଇଁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯିବା ସହ ବୁଧବାର ରାତିସାରା ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ତେବେ ଗୁରୁବାର ସକାଳେ ଧର୍ମସାଲ ଅଞ୍ଚଳର ବାଜିମାଲ ଅଞ୍ଚଳରେ ପୁଣି ଥରେ ଗୁଳିଚାଳନା ଆରମ୍ଭ ହୋଇଥିଲା, ଯେଉଁଥିରେ ଦୁଇ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜଣେ ଯବାନ ସହିଦ ହୋଇଥିଲେ। ବୁଧବାର ଠାରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ସେନାର ୪ ଜଣ ଯବାନ ସହିଦ ହୋଇଥିଲେ।
ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ କିଛି ଆତଙ୍କବାଦୀ ପାକିସ୍ତାନ ସେନାର ମଧ୍ୟ ହୋଇପାରନ୍ତି! ସେମାନଙ୍କ ମଧ୍ୟରୁ କେତେକ ପାକ୍ ସେନାର ଅବସରପ୍ରାପ୍ତ ସୈନିକ ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀରରେ କୌଣସି ସ୍ଥାନୀୟ ଆତଙ୍କବାଦୀ ନଥିବାରୁ ପାକିସ୍ତାନ ବିଦେଶୀ ଆତଙ୍କବାଦୀଙ୍କୁ ଏଠାକୁ ଆଣିବାକୁ ଚାହୁଁଛି। ଆମେ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଚେଷ୍ଟା କରୁଛୁ ବୋଲି ସେନା କମାଣ୍ଡର କହିଛନ୍ତି।
ସୁରକ୍ଷା ବିଶେଷଜ୍ଞଙ୍କ ମତରେ ପାହାଡ଼ିଆ ଭୌଗୋଳିକ ସ୍ଥିତି ଏବଂ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଥିବା କାରଣରୁ ରାଜୌରୀ ଓ ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣର ଅଧିକ ଆଶଙ୍କା ରହିଛି।