ନୂଆଦିଲ୍ଲୀ: ଆଉ ସପ୍ତାହକ ପରେ ଜାମ୍ମୁ ଓ କାଶ୍ମୀର ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହରାଇବା ତଥା ଧାରା ୩୭୦ ପ୍ରତ୍ୟାହୃତ ହେବାକୁ ବର୍ଷେ ପୂରିବ। ତେବେ ଏହାର ଅବ୍ୟବହିତ ପୂର୍ବରୁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ନାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା ଦେଇଥିବା ନୈରାଶ୍ୟଜନକ ବକ୍ତବ୍ୟ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ଯେ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିଥିବ, ସେ ବିଧାନସଭା ପାଇଁ ନିର୍ବାଚନ ଲଢ଼ିବେନି ବୋଲି ଓମାର କହିଛନ୍ତି। ଏଥି ସହିତ ଜାମ୍ମୁକାଶ୍ମୀର ଉପରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଏହି ବିରାଟ ପଦକ୍ଷେପ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତକୁ ମଧ୍ୟ ସେ ମନେ ପକାଇ କ୍ଷୋଭ ପ୍ରକାଶ କରିଛନ୍ତି। ଦେଶର ସବୁଠୁ ଅଧିକ କ୍ଷମତାପ୍ରାପ୍ତ ବିଧାନସଭାର ଦୀର୍ଘ ୬ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଥିବା ଓମାର ଏଭଳି କ୍ଷମତାବିହୀନ ବିଧାନସଭାର କେବଳ ସଭ୍ୟଟିଏ ହେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।
ଜାମ୍ମୁକାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହଟାଇନେବାଟା ଏକ ଲୋକପ୍ରିୟ ପଦକ୍ଷେପ ହୋଇପାରେ, ମାତ୍ର ଅତୀତରେ ପ୍ରଦତ୍ତ ଦେଶର ସାର୍ବଭୌମ ଅଙ୍ଗୀକାରବଦ୍ଧତା ଯେ ଏହାଦ୍ବାରା କ୍ଷୁଣ୍ଣ ହୋଇଛି, ତାହାକୁ କେହି ଅସ୍ବୀକାର କରିବେ ନାହିଁ ବୋଲି ଓମାର କହିଛନ୍ତି। ସେହିପରି ଗତବର୍ଷ ଅଗଷ୍ଟ ୫ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାକୁ ମନେ ପକାଇ ତାହା କଥା ଓ କାମରେ ସମ୍ପୂର୍ଣ୍ଣ ଅଲଗା ଥିଲା ବୋଲି ସେ କହିଛନ୍ତି। ସେତେବେଳେ ବୈଠକରେ ସେମାନଙ୍କ ସହ ଯାହା ଆଲୋଚନା ହୋଇଥିଲା, ତାହାର ୭୨ ଘଣ୍ଟା ପରେ ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟକାରୀ ହୋଇଥିଲା ବୋଲି ସେ କ୍ଷୋଭର ସହ କହିଛନ୍ତି। ଏପରିକି ସେଦିନ ସକାଳେ ଘରେ ନିଜ ଟିଭିରେ ସେ ଖବର ଆକାରରେ ଯାହା ସବୁ ଦେଖୁଥିଲେ, ତାହାକୁ ସେ ବିଶ୍ବାସ କେମିତି କରିବେ ବୋଲି ପଚାରିଛନ୍ତି। କିଛି ଘଣ୍ଟା ଆଗରୁ ତାଙ୍କୁ ମଧ୍ୟରାତ୍ରରେ ଗୃହବନ୍ଦୀ କରାଯାଇଥିଲା ଏବଂ ସଞ୍ଜବେଳକୁ ଏକ ସରକାରୀ ଅତିଥି ଭବନକୁ ନିଆଯାଇଥିଲା। ତେବେ ଦିନେ ନା ଦିନେ ସେ ଏ ବିଷୟରେ ବିଶଦ ଭାବେ ଲେଖିବେ ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/omar.jpg)
