ଜାମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳଙ୍କ ଇସ୍ତଫା ପଛରେ ଅମଲାତାନ୍ତ୍ରିକ ବିବାଦ!

ନୂଆଦିଲ୍ଲୀ: ଗତବର୍ଷ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ଗିରୀଶ ଚନ୍ଦ୍ର ମୁର୍ମୁଙ୍କର କାର୍ଯ୍ୟକାଳ ମାତ୍ର ବର୍ଷେ ନ ପୂରୁଣୁ ସେ ଇସ୍ତଫା ଦେବା ଘଟଣା ଚର୍ଚାର ବିଷୟ ହୋଇଛି। ବୁଧବାର ଅପରାହ୍ଣ ସୁଦ୍ଧା ଏହି ଅପ୍ରତ୍ୟାଶିତ ଘଟଣା ସମ୍ପର୍କରେ ଜାମ୍ମୁକାଶ୍ମୀର ପ୍ରଶାସନ ସ୍ତରରେ କୌଣସି ସ୍ବରଶବ୍ଦ ଶୁଣାଯାଉନଥିବା ବେଳେ ମୁର୍ମୁଙ୍କର ଏପରି ତ୍ବରିତ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଏପରିକି ଇସ୍ତଫା ଦେବା ଯାଏ ମଧ୍ୟ ମୁର୍ମୁ ସ୍ବାଭାବିକ ଭାବେ ତାଙ୍କ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ଅବଶ୍ୟ ସନ୍ଧ୍ୟାରେ ଏଥିପାଇଁ ସେ ଯୋଗଦେବାକୁ ଥିବା କିଛି ବୈଠକ ରଦ୍ଦ ହୋଇଥିଲା। ତେବେ ଦଲ୍ଲୀରେ ଏକ ଜାତୀୟ ସଂସ୍ଥାର ମୁଖ୍ୟ ଭାବେ ସେ ଦାୟିତ୍ବ ନେବା ପାଇଁ କେନ୍ଦ୍ର ସରକାର ସ୍ଥିର କରିଥିବା ବେଳେ ତାଙ୍କ ଇସ୍ତଫା ବାଧ୍ୟବାଧକତାରେ ଏବଂ ଭିନ୍ନ କାରଣ ପାଇଁ ବୋଲି ରୋଚକ ଚର୍ଚ୍ଚା ହେଉଛି।

୧୯୮୫ ବ୍ୟାଚ୍‌ ଗୁଜରାଟ କ୍ୟାଡର ଆଏଏଏସ୍‌ ଅଧିକାରୀ ମୁର୍ମୁ ମୋଦୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ ରାଜ୍ୟର ପ୍ରମୁଖ ସଚିବ ଦାୟିତ୍ବ ଭାର ସମ୍ଭାଳିଥିଲେ। ତେବେ ତାଙ୍କ କାର୍ଯ୍ୟଶୈଳୀ ଜଣେ ସ୍ବଭାବଗତ ଅମଲାଙ୍କ ଭଳି। ଉପରାଜ୍ୟପାଳ ହିସାବରେ ଜଣଙ୍କୁ ପ୍ରଶାସନ ସମ୍ଭାଳିବା ସହ ସାଧାରଣ ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବାକୁ ପଡ଼ିବ, ଯେଉଁ ଗୁଣଟି ଶ୍ରୀ ମୁର୍ମୁଙ୍କ ଠାରେ ଊଣା ରହିଛି। ସେହିଭଳି ତାଙ୍କର କିଛି ବିବାଦୀୟ ମନ୍ତବ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ହୋଇଛି। ଜାମ୍ମୁକାଶ୍ମୀରରେ ୪ଜି ନେଟଓ୍ୱର୍କ ପୁଣି ଚାଲୁ ସମ୍ପର୍କରେ ଲୋକେ ତାହା କେମିତି ବ୍ୟବହାର କରିବେ ସେଥିପ୍ରତି ତାଙ୍କର ଭୟ ନାହିଁ ବୋଲି ସେ କହିଥିଲେ। ମାତ୍ର ଏହାର ଅପବ୍ୟବହାର କାରଣରୁ ସେଠାରେ ଏହି ସେବା ଏବେ ଚାଲୁ ନକରିବା ସପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି। ଅପରପକ୍ଷେ, ଜାମ୍ମୁକାଶ୍ମୀର ପ୍ରଶାସନର ବରିଷ୍ଠ ଅମଲାମାନଙ୍କ ସହିତ ମୁର୍ମୁଙ୍କର ଭୀଷଣ ମତଭେଦ ଦେଖାଦେଇଥିଲା। ଏପରିକି ତାଙ୍କ ଅଧୀନରେ ରାଜ୍ୟ ପ୍ରଶାସନ ଦୁଇଟି ପରସ୍ପର ବିରୋଧୀ ଗୋଷ୍ଠୀରେ ପରିଣତ ହୋଇଥିଲା ବୋଲି ଆଲୋଚନା ଜାରି ରହିଛି। ଏଣେ କିଛି ଅଧିକାରୀ ବିଭିନ୍ନ ଦୁର୍ନୀତି ପାଇଁ ଧରା ପଡ଼ିଥିବା ବେଳେ ସେଥିପାଇଁ ସାମୂହିକ ଉତ୍ତରଦାୟୀ ମଧ୍ୟ କାହାକୁ କରାଯାଇନାହିଁ।

ସମ୍ବନ୍ଧିତ ଖବର