ଜମ୍ମୁ-କଶ୍ମୀର, ୫ ବର୍ଷରେ ୮୩୮ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ : ୨୦୧୮ରେ ଜମ୍ମୁ କଶ୍ମୀରକୁ ସବୁଠୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହା ସବୁଠୁ ଅଧିକ। ପାକିସ୍ତାନୀ ଆତଙ୍କବାଦୀ ୨୦୧୮ରେ ଜମ୍ମୁ କଶ୍ମୀରକୁ ୩୨୮ ଥର ଅନୁପ୍ରବେଶ ଉଦ୍ୟମ କରିଛନ୍ତି ଏବଂ ଏଥି ମଧ୍ୟରୁ ୧୪୩ଟି ଅନୁପ୍ରବେଶ ଉଦ୍ୟମ ସଫଳ ହୋଇଛି ବୋଲି ଗୃହ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ମନ୍ତ୍ରାଳୟର ୨୦୧୮-୧୯ ରିପୋର୍ଟରୁ ଜଣାପଡ଼ିଛି ଯେ ଗତ ବର୍ଷ ଜମ୍ମୁ କଶ୍ମୀରରେ ସମୁଦାୟ ୬୧୪ ଆତଙ୍କବାଦୀ ଆକ୍ରମଣରେ ୨୫୭ ଆତଙ୍କବାଦୀ ନିହତ ହୋଇଥିବାବେଳେ ୯୧ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ଏବଂ ୩୯ ନାଗରିକଙ୍କର ମୃତ୍ୟୁ ହୋଇଛି। ବିଗତ ୫ ବର୍ଷରେ ମୋଟ ୮୩୮ ଜଣ ଆତଙ୍କବାଦୀ ନିପାତ ହୋଇଥିବା ରିପୋର୍ଟରେ କୁହାଯାଇଛି।

୨୦୧୭ରେ ୪୧୯ ଥର ସୀମାପାର ଅନୁପ୍ରବେଶ ଉଦ୍ୟମ ହୋଇଥିବା ବେଳେ ଏଥି ମଧ୍ୟରୁ ୧୩୬ଟି ସଫଳ ହୋଇଥିଲା। ୨୦୧୬ରେ ୩୭୧ ଅନୁପ୍ରବେଶ ଉଦ୍ୟମ ହୋଇଥିବାଲା ଏବଂ ଏଥି ମଧ୍ୟରୁ ୧୧୯ଟି ସଫଳ ହୋଇଥିଲା। ୨୦୧୫ରେ ସମୁଦାୟ ୧୨୧ ଥର ଅନୁପ୍ରବେଶ ଉଦ୍ୟମ ହୋଇଥିବା ବେଳେ ୩୩ଟି ସଫଳ ହୋଇଥିଲା। ସେହିପରି ୨୦୧୪ରେ ୨୨୨ ଅନୁପ୍ରବେଶ ଉଦ୍ୟମ ହୋଇଥିଲା ଏବଂ ଏଥିରୁ ୬୫ଟି ସଫଳ ହୋଇଥିଲା ବୋଲି ଗୃହ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷେ ୨୦୧୭ରେ ଜମ୍ମୁ କଶ୍ମୀରରେ ୩୪୨ ଆତଙ୍କବାଦୀ ଆକ୍ରମଣରେ ୮୦ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୦ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୨୧୩ ଆତଙ୍କବାଦୀ ନିପାତ ହୋଇଥିଲେ। ୨୦୧୬ରେ ୩୨୨ ଆତଙ୍କବାଦୀ ଆକ୍ରମଣ‌ରେ ୧୫ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୨ ଯବାନ ସହିଦ ହୋଇଛନ୍ତି ଏବଂ ୧୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୦୧୫ରେ ୨୦୮ ଆତଙ୍କବାଦୀ ଆକ୍ରମଣରେ ୧୭ ନା‌ଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଯବାନ ସହିଦ ହୋଇଛନ୍ତି ଏବଂ ୧୦୮ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୦୧୪ରେ ଜମ୍ମୁ କଶ୍ମୀର‌ରେ ୨୨୨ ଆତଙ୍କବାଦୀ ଆକ୍ରମଣରେ ୨୮ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ୪୭ ଯବାନ ସହିଦ ହୋଇଥିଲେ ଏବଂ ୧୧୦ ଆତଙ୍କବାଦୀ ନିପାତ ହୋଇଥିଲେ। ଜମ୍ମୁ କଶ୍ମୀରରେ ୧୯୯୦ରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ ହେବା ଦିନରୁ ମାର୍ଚ୍ଚ ୩୧,୨୦୧୯ ପର୍ଯ୍ୟନ୍ତ ୧୪,୦୨୪ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୫,୨୭୩ ଯବାନ ସହିଦ ହୋଇଛନ୍ତି ବୋଲି ଗୃହ ମନ୍ତ୍ରାଳୟ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର