ଜମ୍ମୁ-କଶ୍ମୀରରେ ସକ୍ରିୟ ହେଲା ନୂତନ ଆତଙ୍କବାଦୀ ସଂଗଠନ: ଟାର୍ଗେଟ୍‌ରେ ୭ ଏସ୍‌ଓଜି ଅଧିକାରୀ; ସତର୍କ କଲା ଗୁପ୍ତଚର ସଂସ୍ଥା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଉପତ୍ୟକାରେ ସଂପ୍ରତି ଏକ ନୂତନ ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇଉଠିଛି ଏବଂ ଏହି ସଂଗଠନର ରାଡାରରେ ଆତଙ୍କବାଦ ବିରୋଧୀ ସ୍ପେଶାଲ ଅପରେସନ୍‌ସ ଗ୍ରୁପ୍‌ (ଏସ୍‌ଓଜି) ଏବଂ ସ୍ପେଶାଲ୍‌ ପୁଲିସ୍‌ ଅଫିସର (ଏସପିଓ)ର ୭ ଜଣ ଅଧିକାରୀ ରହିଥିବା ନେଇ ଗୁପ୍ତଚର ସଂସ୍ଥା ସୁରକ୍ଷା ପ୍ରତିଷ୍ଠାନକୁ ଚେତାବନୀ ଦେଇଛନ୍ତି।

ଗୁପ୍ତଚର ଏଜେନ୍‌ସିମାନେ ଦର୍ଶାଇଛନ୍ତି ଯେ ଏବେ ଉପତ୍ୟକାରେ କଶ୍ମୀର ଲିବରେସନ୍‌ ୱାରିୟର୍ସ ନାମକ ଏକ ନୂତନ ଆତଙ୍କବାଦୀ ସଂଗଠନ ମୁଣ୍ଡ ଯେକିଛି। ଗତ ମାସରେ ‘ସହିଦ ନାଇକୋ ମିଡିଆ ଗ୍ରୁପ୍‌’ ନାମରେ ଏହି ଆତଙ୍କବାଦୀ ସଂସ୍ଥା ଟେଲିଗ୍ରାମ ଆପରେ ଜମ୍ମୁ-କଶ୍ମୀର ପୁଲିସ ବିରୋଧରେ ଏକ ଧମକପୂର୍ଣ୍ଣ ଚିଠି ପୋଷ୍ଟ କରିଥିଲା। ଏହି ନୂତନ ସଂଗଠନ ଆତଙ୍କବାଦୀଙ୍କ ବିଷୟରେ ସୂଚନା ସଂଗ୍ରହ ନକରିବା ଏବଂ ‘ଭାରତ ବିରୋଧୀ ଲଢ଼େଇ’ରେ ସମସ୍ୟା ସୃଷ୍ଟି ନକରିବା ପାଇଁ ସ୍ପେଶାଲ ଅପରେସନ୍‌ ଗ୍ରୁପରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ସ୍ପେଶାଲ୍‌ ପୁଲିସ୍‌ ଅଧିକାରୀଙ୍କୁ ଚେତାବନୀ ଦେଇଛି ବୋଲି ଏକ ଗୁପ୍ତଚର ସଂସ୍ଥା କହିଛି। ଏହି ଆତଙ୍କବାଦୀ ଗୋଷ୍ଠୀ ସାତଜଣ ଅଧିକାରୀଙ୍କ ନାମ ସହ ସେମାନଙ୍କର ସବିଶେଷ ତଥ୍ୟ ଏବଂ ସେମାନେ କେଉଁ ପ୍ରକାରର ଯାନବାହନ ବ୍ୟବହାର କରୁଛନ୍ତି ସେସବୁର ସବିଶେଷ ତଥ୍ୟ ଏହି ଚିଠିରେ ପୋଷ୍ଟ କରିଛି।

ଏଥିସହ ଉପତ୍ୟକାରେ ଜମି କ୍ରୟ ନ କରିବା ପାଇଁ ଏହି ଆତଙ୍କବାଦୀ ଗୋଷ୍ଠୀ ଅଣ-କଶ୍ମୀରବାସୀଙ୍କୁ ମଧ୍ୟ ଚେତାବନୀ ଦେଇଛି। ଏଜେନ୍‌ସି କହିଛି ଯେ, ବାହାର ଲୋକଙ୍କୁ ଜମି ବିକ୍ରୟ କରୁଥିବା ସ୍ଥାନୀୟ ଲୋକଙ୍କୁ ହତ୍ୟା କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବରରେ, ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ଏକ ବର୍ଷ ପରେ ଅନେକ ନିୟମ ସଂଶୋଧନ କରି ଜମ୍ମୁ-କଶ୍ମୀରର ଅଣ-ବାସିନ୍ଦାଙ୍କୁ ଉପତ୍ୟକାରେ ଜମି କିଣିବା ପାଇଁ କେନ୍ଦ୍ର ସରକାର ରାସ୍ତା ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧିତ ଖବର