ଜମ୍ମୁ: ଜମ୍ମୁ କଶ୍ମୀର ବିଧାନସଭାକୁ ରାଜ୍ୟପାଳ ସତ୍ୟପାଲ୍ ମଲିକ୍ ଭାଙ୍ଗିଦେବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ ଦୋଷ ଲଦାଲଦି ଆରମ୍ଭ କରିଦେଇଛନ୍ତି। ଗତକାଲି ରାଜ୍ୟପାଳ ମଲିକ୍ ବିଧାନସଭାକୁ ଭାଙ୍ଗିଦେବା ପରେ କଂଗ୍ରେସ, ନ୍ୟାସ୍ନାଲ୍ କନ୍ଫରେନ୍ସ ଓ ପିଡିପି ଆଦି ତାଙ୍କୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ଏହି ଦଳଗୁଡ଼ିକୁ ଜବାବ ଦେଇଛି। ବିଜେପି ନେତା ରାମମାଧବ ସିଧା ନ୍ୟାସ୍ନାଲ୍ କନ୍ଫରେନ୍ସ ଓ ପିଡିପିକୁ ଟାର୍ଗେଟ୍ କରି ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ଏନ୍ସି ଓ ପିଡିପିକୁ ପାକିସ୍ତାନରୁ ନିର୍ଦ୍ଦେଶ ଆସିଥିଲା ବୋଲି ସେ କହିଛନ୍ତି। କିନ୍ତୁ ମେହବୁବା ମୁଫ୍ତି ଏବଂ ଓମାର ଅବ୍ଦୁଲ୍ଲା ଏହାର ପ୍ରମାଣ ଦେବାକୁ ଚାଲେଞ୍ଜ୍ ଦେବା ପରେ ରାମ ମାଧବ ନିଜ ମନ୍ତବ୍ୟକୁ ଫେରାଇ ନେଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
ପ୍ରମାଣ ଦେବାକୁ ଓମାର୍, ମେହବୁବାଙ୍କ ଚାଲେଞ୍ଜ୍
ମନ୍ତବ୍ୟ ଫେରାଇନେଲେ ରାମ ମାଧବ
ରାଜ୍ୟ ସ୍ବାର୍ଥ ପାଇଁ ପଦକ୍ଷେପ ଜରୁରି ଥିଲା: ରାଜ୍ୟପାଳ
ବିଧାନସଭା ଭଙ୍ଗ ନିଷ୍ପତ୍ତିକୁ କଂଗ୍ରେସ ସମେତ ଏନ୍ସି (ନ୍ୟାସ୍ନାଲ୍ କନ୍ଫରେନ୍ସ) ଓ ପିଡିପି (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି) ପକ୍ଷରୁ ସମାଲୋଚନା କରାଯିବା ପରେ ରାମମାଧବ ଦଳଗୁଡ଼ିକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଯେ ଜମ୍ମୁ କଶ୍ମୀରରେ ସରକାର ଗଠନ ପାଇଁ ପାକିସ୍ତାନ ଏନ୍ସି ଓ ପିଡିପିକୁ ନିର୍ଦ୍ଦେଶ ଦେଇଛି। ରାମମାଧବଙ୍କ ଏଭଳି ବୟାନରେ ଉତ୍କ୍ଷିପ୍ତ ହୋଇ ପ୍ରଥମେ ଏନ୍ସି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ବିଜେପିକୁ ପ୍ରତିଆକ୍ରମଣ କରିଥିଲେ। ଯଦି ଦମ୍ ଅଛି ବିଜେପି କୋର୍ଟରେ ଏ ନେଇ ପ୍ରମାଣ ଦେଉ ବୋଲି ସେ କହିଥିଲେ। ଏହାପରେ ପିଡିପି ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମଧ୍ୟ ରାମ ମାଧବଙ୍କୁ ପ୍ରମାଣ ଦେବାକୁ ଆହ୍ବାନ ଦେଇଥିଲେ। ଶେଷରେ ରାମମାଧବ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରିନେଇଥିଲେ। ଓମାର କହିଛନ୍ତି ଯେ ଜମ୍ମୁ କଶ୍ମୀରର ସୁରକ୍ଷା ପାଇଁ ପିଡିପିକୁ ଏନ୍ସି ସମର୍ଥନ ଜଣାଇଥିଲା। ଏଥିରେ ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା।
ଉଲ୍ଲେଖଯୋଗ୍ୟ, କଂଗ୍ରେସ, ଏନ୍ସି ଓ ପିଡିପି ଗତ ବୁଧବାର ରାଜ୍ୟରେ ସରକାର ଗଠନ କରିବା ଲାଗି ଦାବି କରିଥିଲେ। ବିଧାନସଭାରେ ସେମାନଙ୍କ ନିକଟରେ ବହୁମତ ଥିବାରୁ ସେମାନେ ସରକାର ଗଢ଼ିପାରିବେ ବୋଲି କହିଥିଲେ। ଏହାପରେ ରାଜ୍ୟପାଳ ବିଧାନସଭାକୁ ଭାଙ୍ଗିଦେଇଥିଲେ। ମଲିକ୍ ନିଜ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇ କହିଛନ୍ତି, ଜମ୍ମୁ କଶ୍ମୀରର ସ୍ବାର୍ଥ ପାଇଁ ବିଧାନସଭାକୁ ଭାଙ୍ଗିବା ଜରୁରି ଥିଲା। ତେବେ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ମଲିକ୍ ଆହୁରି କହିଛନ୍ତି ଯେ ରାଜ୍ୟରେ ସରକାର ଗଠନ ପାଇଁ ଦଳଗୁଡ଼ିକ ଘୋଡ଼ା ବେପାରରେ ଲାଗିପଡ଼ିଥିଲେ।