ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରଠାରୁ ଦଳରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ସେ ଇସ୍ତଫା ଦେବା ଦିନଠାରୁ ତାଙ୍କୁ ସମର୍ଥନ କରି କଂଗ୍ରେସର ଏକାଧିକ ନେତା ଏପର୍ଯ୍ୟନ୍ତ ଦଳ ଛାଡ଼ିଥିବା ବେଳେ ଶୁକ୍ରବାର ପୁଣି ୨୦ଜଣ ନେତା କଂଗ୍ରେସର ହାତ ଛାଡ଼ିଥିବା ଜଣାପଡ଼ିଛି। ଏହା ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ପ୍ରାୟ ୬୪ରୁ ଅଧିକ କଂଗ୍ରେସ ନେତା କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ସେମାନଙ୍କ ଇସ୍ତଫା ପତ୍ର ଦେଇଥିଲେ।
ଆଜାଦ ଅଗଷ୍ଟରେ ଦଳର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେଇ ସେ ଅଭିଯୋଗ କରିଥିଲେ ଯେ ଆଭ୍ୟନ୍ତରୀଣ ନିର୍ବାଚନ ନାଁରେ କଂଗ୍ରେସ ନେତୃତ୍ୱ ଧୋକା ଦେଉଛନ୍ତି। ରାହୁଲ୍ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି କହିଥିଲେ ଆଜାଦ।
ସେ କହିଥିଲେ ଯେ, ସତ କହିବାକୁ ଗଲେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ। ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ଉପରେ ନିର୍ଭର କରୁଥିଲେ। ସେ ମତେ ମଧ୍ୟ ୮ଟି ରାଜ୍ୟର ଦାୟିତ୍ବ ଦେଇଥିଲେ। ସେଥିରୁ ମୁଁ ୭ଟିରେ ବିଜୟୀ ହୋଇଥିଲି। ମୋ କାମରେ ସେ ହସ୍ତକ୍ଷେପ କରି ନ ଥିଲେ। କିନ୍ତୁ, ରାହୁଲ୍ ଗାନ୍ଧୀ ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ। କିନ୍ତୁ, ରାଜନୀତି ପାଇଁ ରାହୁଲ୍ଙ୍କର ସ୍ବଭାବଗତ ଦକ୍ଷତା ନ ଥିଲା। ତେଣୁ, ସମସ୍ତେ ରାହୁଲ୍ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-29.jpg)